ବାରିପଦା: ଏକ ଦୈନିକ ଖବରକାଗଜରେ ଭୁଲ ଫଳାଫଳ ଘୋଷଣାକୁ ନେଇ ମୟୂରଭଞ୍ଜ ଜିଲ୍ଲା ଶମାଖୁଣ୍ଟା ବ୍ଲକରେ ବିଡିଓଙ୍କୁ ମରଣାନ୍ତକ ଆକ୍ରମଣ । ଆଜି(ବୁଧବାର) ଏକ ଆଗଧାଡ଼ିର ଦୈନିକ ଖବରକାଗଜରେ ମୟୂରଭଞ୍ଜ ଜିଲ୍ଲା ଶମାଖୁଣ୍ଟା ବ୍ଲକ ବାଲଢିଆ ଗ୍ରାମପଞ୍ଚାୟତର ସରପଞ୍ଚ ପଦବୀ ପାଇଁ କବିତା ନାୟକଙ୍କୁ ବିଜୟୀ ଭାବେ ଦର୍ଶାଇଛି । କିନ୍ତୁ ଶମାଖୁଣ୍ଟା ବ୍ଲକ ପକ୍ଷରୁ ଶକୁନ୍ତଳା ନାୟକଙ୍କୁ ବିଜୟୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା ।
ଏହାକୁ ନେଇ କବିତା ନାୟକଙ୍କ ସମର୍ଥିତ କର୍ମୀ ବ୍ଲକ ଅଫିସ ଭିତରେ ବିଡିଓ ଯଶୋବନ୍ତ ବେହେରାଙ୍କୁ ଆକ୍ରମଣ କରିଛନ୍ତି । ଆକ୍ରମଣରେ ବିଡିଓ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ବାରିପଦା ସଦର ଥାନା ଅଧିକାରୀ ଓ ସଦର ଉପଖଣ୍ଡ ଅଧିକାରୀ ପହଞ୍ଚି ବିଡିଓଙ୍କୁ ଉଦ୍ଧାର କରିଥିଲା ।
ଏହାପରେ ତାଙ୍କ ଚିକିତ୍ସା ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅପରପକ୍ଷେ କର୍ମୀମାନେ ପୁନଃ ନିର୍ବାଚନ ପାଇଁ କିମ୍ବା ପାଞ୍ଚ ବର୍ଷ ପାଇଁ କ୍ଷମତା ବିଡିଓଙ୍କ ନିକଟରେ ରଖିବା ପାଇଁ ଦାବି କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ