ରାଇରଙ୍ଗପୁର: ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ବଜ୍ରପାତ ଘଟିବାରୁ ଦୁଇଜଣ ପ୍ରାଣ ହରାଇଛନ୍ତି । ଏଥିସହ ଜଣେ ୧୧ ବର୍ଷୀୟା ନାବାଳିକା ଗୁରୁତର ଭାବରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେହିଭଳି ତିରିଙ୍ଗ ଥାନା ଅଞ୍ଚଳରେ ବଜ୍ରାଘାତ ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ନିମଡିହି ଗ୍ରାମରେ ରାଣୀ ମୁଣ୍ଡା (୨୫) ଓ ତାଙ୍କ ଝିଆରି ପାନ ମୁଣ୍ଡା (୦୭) ପୋଖରୀରୁ ଶୌଚ ହୋଇ ଘରକୁ ଫେରୁଥିବାବେଳେ, ବର୍ଷା ହେବାରୁ ବରଗଛ ତଳେ ଛିଡ଼ା ହୋଇଥିଲେ । ଏହି ସମୟରେ ବଜ୍ରପାତ ଘଟିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଖୁଡି ରାଣୀ ଓ ଝିଆରି ପାନ ମୃତ୍ୟୁବରଣ କରିଥିଲେ । ତେବେ ମୃତ ରାଣୀଙ୍କ ଝିଅ ଲେଚେ ମୁଣ୍ଡା (୧୧) ମଧ୍ୟ ସେହି ବଜ୍ରପାତରେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବହଳଦା ମେଡିକାଲ ଭର୍ତ୍ତି କରିଛନ୍ତି । ସେଠାରେ ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଜାରି ରହିଛି ।
ସେହିପରି ତିରିଙ୍ଗ ଥାନା ଅନ୍ତର୍ଗତ ବାରୁଡି ଗ୍ରାମର ଶ୍ୟାମ ଚରଣ ପୁର୍ତ୍ତି (୩୧) ଗାଈ ଚରେଇବା ପାଇଁ ଯାଇଥିଲେ । ତେବେ ଘରକୁ ଫେରୁଥିବା ବେଳେ ବଜ୍ରପାତ ଘଟିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ବହଳଦା ଓ ତିରିଙ୍ଗ ଥାନା ପୋଲିସ ଉଭୟ ଘଟଣାରେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଇଟିଭି ଭାରତ, ମୟୂରଭଞ୍ଜ