ବାରିପଦା : କୋଭିଡ ରୋଗୀଙ୍କ ମୃତଦେହ ସଂସ୍କାରକୁ ବିରୋଧ କରି ରାସ୍ତା ଅବରୋଧ । ବାରିପଦା ସହର ରଘୁନାଥପୁର ମଇଳା ଖାଦାନ ନିକଟରେ କୋଭିଡରେ ମୃତ୍ୟୁବରଣ କରିଥିବା ରୋଗୀଙ୍କ ମୃତଦେହ ଦାହକୁ ବିରୋଧ କରି ରାସ୍ତା ଅବରୋଧ କଲେ ଅଞ୍ଚଳବାସୀ ।
ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ରଘୁନାଥପୁର ମଇଳା ଖାଦାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ରୋଗୀଙ୍କ ମୃତଦେହ ଦାହ କରାଯାଉଛି । ତେବେ ସ୍ଥାନୀୟ ଅଞ୍ଚଳବାସୀ ଏହାକୁ ବିରୋଧ କରି ବାରିପଦା-କୋଷ୍ଠା ରାସ୍ତା ଅବରୋଧ କରିଥିଲେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଜିଲ୍ଲା ପ୍ରଶାସନ କୋରୋନାରେ ପୀଡିତ ହୋଇ ମୃତ୍ୟୁବରଣ କରିଥିବା ମୃତଦେହକୁ ଆଣି ଏଣେ ତେଣେ ପକାଇ ଦେଉଛନ୍ତି । ଦାୟିତ୍ବହୀନ ଭାବେ ମୃତଦେହକୁ ମଧ୍ୟ ରାତ୍ରିରେ ନିଆଁ ଲଗାଇ କର୍ମଚାରୀମାନେ ନିଜ ନିଜ ଘରକୁ ଫେରିଯାଉଛନ୍ତି ।
ଏନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ବାରିପଦା-କୁଷ୍ଠା ମୁଖ୍ୟ ରାସ୍ତା ଅବରୋଧ ଫଳରେ ଉଭୟ ପଟରେ ଲମ୍ବା ଧାଡିରେ ଗାଡି ଛିଡ଼ା ହୋଇଥିବାବେଳେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ବାରିପଦା ପୋଲିସ ଓ ବାରିପଦା ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକରୁ ହଟିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ