ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ଥାନା ୪୯ ନମ୍ବର ଜାତୀୟ ରାଜପଥ ଦ୍ବାରଶୁଣି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯାତ୍ରୀବାହୀ ଅଟୋକୁ ପଛରୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ ଅଟୋରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ସ୍କୁଲ ଛାତ୍ର ଓ ଅନ୍ୟ ଜଣେ ଅଭିଭାବକ ଥିବା ଜଣାପଡ଼ିଛି।
ସୂଚନାମୁତାବକ, ମଧ୍ୟାହ୍ନ ଭୋଜନ ଚାଉଳ ଆଣିବାକୁ ବିଶୋୟୀର ଦୋପଟ୍ଟା ଗାଁରୁ ଶୁଳିଆପଦା ଅଭିମୁଖେ ଏକ ଅଟୋରେ ୧୨ ଜଣ ଯାଉଥିଲେ। ସେମାନଙ୍କ ମଧ୍ୟରେ ୪ ଜଣ ମହିଳା, ୪ ଜଣ ପୁରୁଷ ଓ ୪ ଜଣ ୧୦ରୁ ୧୨ ବର୍ଷ ମଧ୍ୟରେ ପିଲା ଥିଲେ। ସେମାନେ ଅଟୋରେ ବାଙ୍ଗିରିପୋଷି ଘାଟିରେ ଓହ୍ଲାଉଥିବା ବେଳେ ଦୃତ ଗତିରେ ଆସୁଥିବା ଏକ ଟ୍ରକ୍ ଅଟୋକୁ ପଛ ପଟୁ ଧକ୍କା ଦେଇଥିଲା ।
ଖବର ପାଇ ବାଙ୍ଗିରିପୋଷି ପୋଲିସ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ପ୍ରଥମେ ବାଙ୍ଗିରିପୋଷି ମେଡିକାଲ ଓ ପରେ ସେମାନଙ୍କୁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଦୁର୍ଘଟଣା ଘଟାଇ ଥିବା ଟ୍ରକ୍ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ଜଣାଯାଇଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ