ରାଇରଙ୍ଗପୁର: ପବିତ୍ର ରାସ ପୂର୍ଣ୍ଣିମା ଅବସରରେ ରାଇରଙ୍ଗପୁରରେ “ମୁରୁଜରେ ମୋ ଜଗନ୍ନାଥ’’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ମାଉସୀ ମା ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ପଥୋତ୍ସବ ମୁରୁଜ ପ୍ରତିଯୋଗିତାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ 25ଟି ପ୍ରତିଯୋଗୀ ଦଳ ଅଂଶଗ୍ରହଣ କରିଥିଲେ ।
ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଭଳି ଉପାନ୍ତ ଅଞ୍ଚଳରେ “ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ’’ ରାଇରଙ୍ଗପୁର ଶାଖା ପକ୍ଷରୁ ପ୍ରଥମ ଥର ଆୟୋଜିତ ଏହି କାର୍ଯକ୍ରମକୁ ସାଧାରଣରେ ବହୁ ପ୍ରଶଂସା ମିଳିଛି । ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ଵାରା ଅଙ୍କା ଯାଇଥିବା ମୁରୁଜ ଦର୍ଶକଙ୍କ ମନ କିଣିଥିଲା ।
ବିଜୁ ପଟ୍ଟନାୟକ ଛକରୁ ମେଡିକାଲ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ରଙ୍ଗବେରଙ୍ଗର ମୁରୁଜ ପଡି ଆକାଶରେ ଇନ୍ଦ୍ରଧନୁ ସଦୃଶ୍ୟ ପ୍ରତୀୟମାନ ହେଉଥିଲା I ଏହି ମନୋରମ ମୁରୁଜ ଦେଖିବା ପାଇଁ ଦୂର ଦୁରାନ୍ତରୁ ଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା I ଏହି ପ୍ରତିଯୋଗିତାରେ 3ଟି ପ୍ରତିଯୋଗୀ ଦଳକୁ ଆଗାମୀ ସମ୍ମିଳନୀରେ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ମଧ୍ୟ ପରିଷଦ ପକ୍ଷରୁ ହାତକୁ ନିଆଯାଇଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ