ରାଇରଙ୍ଗପୁର: ସରକାର ସ୍କୁଲର ଭିତ୍ତିଭୂମି ବିକାଶ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଥିବା ବାଦାମୀବାଇ ସରକାରୀ ସ୍କୁଲର ଅବସ୍ଥା ନ କହିବା ଭଲ । ନାହିଁ ନାହିଁରେ ଚାଲିଛି ସ୍କୁଲ ।
ସାମାନ୍ୟ ବର୍ଷା ହେଲେ ସ୍କୁଲ ପରିସରରେ ଜମେ ଆଣ୍ଠୁଏ ଆଣ୍ଠୁଏ ପାଣି । ଆଖପାଖ ଅଞ୍ଚଳର ଯେତେକ ନର୍ଦ୍ଦମା ପାଣି ସବୁ ଠୁଳ ହୁଏ ସ୍କୁଲ ପରିସରରେ । ଯାହା ଏକ କୃତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରେ । ଫଳରେ ଯାତାୟତ ପାଇଁ ନାନା ଅସୁବିଧାର ସମ୍ମୁଖିନ ହୁଅନ୍ତି ଛାତ୍ରଛାତ୍ରୀ । ଏପରିକି ଏହି ପାଣି ଭିତରେ ବିଷଧର ସାପ ରହୁଥିବାରୁ ଛାତ୍ରଛାତ୍ରୀଙ୍କ ଭୟ ଦ୍ବିଗୁଣିତ ହୋଇଯାଇଛି । ଏଭଳି ବିପଦଜ୍ଜନକ ପରିସ୍ଥିତିରେ ପିଲାମାନଙ୍କୁ ସ୍କୁଲ ଛାଡିବାକୁ ସୁରକ୍ଷିତ ମଣୁ ନାହାନ୍ତି ଅଭିଭାବକ । ତେବେ ସମସ୍ୟା ଆଜିର କିମ୍ବା କାଲିରେ ନୁହେଁ ଦୀର୍ଘ ଦିନ ହେଲାଣି ପିଲାମାନେ ଏଭଳି ସମସ୍ୟାରେ ଜର୍ଜରିତ ।
ଏନେଇ ବାରମ୍ବାର ଅଭିଯୋଗ ମଧ୍ୟ ହୋଇଛି ହେଲେ ଫଳଶୂନ । ତେବେ ଖାଲି ଜଳବନ୍ଦୀ ସମସ୍ୟା ନୁହେଁ ଆବଶ୍ୟକୀୟ ଶ୍ରେଣୀଗୃହ ନଥିବାରୁ 3ଟି ଶ୍ରେଣୀର ଛାତ୍ରଛାତ୍ରୀ ଗୋଟିଏ ଶ୍ରେଣୀଗୃହରେ ପଢୁଥିବା ଅଭିଯୋଗ ମଧ୍ୟ ହୋଇଛି । ଏନେଇ ସହକାରୀ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କୁ ପଚରାଯିବାରୁ ସେ ଖୁବ ଶିଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ