ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ତଥା ରାଇରଙ୍ଗପୁର ଅଞ୍ଚଳର ବ୍ୟବସାୟୀ ଦିନେଶ ଦାସଙ୍କ ରେଷ୍ଟୁରାଣ୍ଟ ସିଲ୍ । ବ୍ୟାଙ୍କ ଅଫ୍ ବରୋଦାରୁ ଋଣ ଖିଲାପ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ତାରକାନାଥ ହୋଟେଲ ଆଣ୍ଡ ରେସ୍ତୋରାଁକୁ ସିଲ୍ କରିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ ।
ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡର ବହଳଦା ବ୍ଳକ ଅନ୍ତର୍ଗତ ଝରାଡିହି ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ ଦିନେଶ ଦାସ । ତାଙ୍କ କମ୍ପାନୀ 'ବିଲିୟନ ଡଲାର୍ସ ପ୍ରାଇଭେଟ ଲିମିଟେଡ ' ବ୍ୟାଙ୍କ ଅଫ ବରୋଦାରୁ ବିଭିନ୍ନ ଛୋଟ ବଡ଼ କମ୍ପାନୀ ନାମରେ ୩୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଋଣ ଉଠାଇ ନେଇଛନ୍ତି । ତେବେ ଋଣ ଫେରସ୍ତ କରିବାର ନାମ ଧରୁ ନଥିବାରୁ ବର୍ତ୍ତମାନ ଏହା ସୁଧ ମୂଳ ମିଶି 50 କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ବ୍ୟାଙ୍କ କର୍ତ୍ତୃପକ୍ଷ ଏନେଇ ଦିନେଶ ଦାସଙ୍କୁ ବାରମ୍ବାର ଲିଖିତ ଚିଠି ଦେଇଥିଲେ ମଧ୍ୟ ଦିନେଶ ଦାସ ଋଣ ପରିଶୋଧ କରୁ ନଥିଲେ । ଫଳରେ ବ୍ୟାଙ୍କ କର୍ତ୍ତୃପକ୍ଷ ହାଇକୋର୍ଟର ଆଶ୍ରୟ ନେଇଥିଲେ।
ଏହାପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ନୁଯାୟୀ, ଶନିବାର ରାଇରଙ୍ଗପୁର ତହସିଲଦାର ଯୋଗରଞ୍ଜନ ନାୟକ, ରାଇରଙ୍ଗପୁର ଟାଉନ ଥାନାଧିକାରୀ ରଞ୍ଜନ ସେଠୀ, ବ୍ୟାଙ୍କ ଅଫ୍ ବରୋଦା ରାଞ୍ଚିର କର୍ତ୍ତୃପକ୍ଷ ମନୋଜ ଗୁପ୍ତା, କୋର୍ଟ କମିଶନର ଆଶୀଷ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଦିନେଶ ଦାସଙ୍କ ରାଇରଙ୍ଗପୁର ମୁଖ୍ୟ ବଜାରରେ ଥିବା ରେସ୍ତୋରାଁକୁ ସିଲ କରିଥିଲେ ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ