ରାଇରଙ୍ଗପୁର: ଆଉ ମାତ୍ର କେଇ ମିନିଟ୍ର ଅପେକ୍ଷା । ନିଜ ଜନ୍ମମାଟିରେ ପହଞ୍ଚିବେ ମାଟିର ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ମୟୂରଭଞ୍ଜରେ ପହଞ୍ଚିବା ପରେ ପାହାଡପୁରସ୍ଥିତ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟକୁ ଯିବେ । ସେଠାରେ ସ୍ବାମୀ ସ୍ବର୍ଗତ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏନେଇ ରଙ୍ଗବେରଙ୍ଗୀ ଫୁଲରେ ସଜେଇ ହୋଇଛି ବିଦ୍ୟାଳୟ । ମହାମହିମଙ୍କୁ ସ୍ବାଗତ କରିବାକୁ ଉତ୍ସାହ ଓ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଞ୍ଚଳବାସୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏହା ଓଡ଼ିଶାର ତୃତୀୟ ଥର ଗସ୍ତ । ତୃତୀୟ ଗସ୍ତ ସମୟରେ ପ୍ରଥମ ଥର ନିଜ ଜନ୍ମମାଟି ମୟୂରଭଞ୍ଜକୁ ଆସୁଛନ୍ତି ।
ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ସଜେଇ ହୋଇଛି ରାଇରଙ୍ଗପୁର ସହର । ଜନସାଧାରଣଙ୍କ ମନରେ ଉତ୍ସାହ ଭରି ରହିଛି ରାଷ୍ଟ୍ରପତି ଆଜି ଦିଲ୍ଲୀ ପାଲମ ଏୟାରପୋର୍ଟରୁ ବାହାରି ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ କଲେଇକୁଣ୍ଡା ପହଞ୍ଚିବାର ସୂଚନା ରହିଛି । ସେଠାରୁ ବାୟୁସେନାର ହେଲିକପ୍ଟର ଯୋଗେ ବାଦାମପାହାଡ ଦିଘିଆବେଡା ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସ୍ବତନ୍ତ୍ର ଗାଡ଼ିରେ ଦିନ ୧୦.୪୦ ମିନିଟ୍ ସମୟରେ ପାହାଡପୁର ସ୍ଥିତ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟରେ ପହଞ୍ଚିବେ । ସେଠାରେ ସ୍ବାମୀ ସ୍ବର୍ଗତ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।
ସେଠାରୁ ସ୍କୁଲ ପାଖରେ ଏକ କମ୍ୟୁନିଟି ସେଣ୍ଟର ଓ କୌଶଳ ଦକ୍ଷତା କେନ୍ଦ୍ରର ଶିଳାନ୍ୟାସ କରିବେ । ନିଜ ଶାଶୁଘର ଗାଁ ପାହାଡପୁରରେ ଥିବା ଆଦିବାସୀଙ୍କ ଗୋଷାଣୀରେ ପୂଜାର୍ଚ୍ଚନା କରିବେ । ପରେ ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଗ୍ରାମବାସୀ ଓ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିବେ । ରାଷ୍ଟ୍ରପତି ମୁର୍ମୁ ସ୍କୁଲ ପହଞ୍ଚିବା ପରେ ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଞ୍ଚଳବାସୀ ତାଙ୍କୁ ଭବ୍ୟ ସ୍ବାଗତ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି । ଅଞ୍ଚଳବାସୀ ଦୀର୍ଘ ୧୧ ମାସ ଧରି ଚାହିଁ ରହିଥିଲେ ଦିଦି (ଦ୍ରୌପଦୀ ମୁର୍ମୁ) କେବେ ଆସିବେ ଓ କେବେ ତାଙ୍କର ଗୋଟିଏ ଝଲକ ପାଇବେ । ଆଜି ରାଷ୍ଟ୍ରପତି ଆସୁଥିବାରୁ ସ୍ଥାନୀୟ ଲୋକେ ବେଶ୍ ଉତ୍ସାହିତ ଥିବା ଦେଖାଯାଇଛି ।
ଏହାମଧ୍ୟ ପଢନ୍ତୁ: ଉଦ୍ଘାଟନର ୫ ବର୍ଷ ପରେ ବି ପରିତ୍ୟକ୍ତ ଅବସ୍ଥାରେ B.ED କଲେଜ, ଜିଲ୍ଲା ପ୍ରଶାସନ ନୀରବଦ୍ରଷ୍ଟା
ଇଟିଭି ଭାରତ, ରାଇରଙ୍ଗପୁର