ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା କାଳିଆଷୋଳ ପେଟ୍ରୋଲ ପମ୍ପରେ ୨ ପୋଲିସ କନେଷ୍ଟବଳଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି । ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଆଦିବାସୀ ମହିଳାଙ୍କୁ ନିର୍ଯାତନା ଦେବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ତେବେ ଏହାକୁ ପ୍ରତିବାଦ କରି ସ୍ଥାନୀୟ ଗ୍ରାମବାସୀ ଥାନା ଘେରାଉ କରିଛନ୍ତି ।
ସୂଚନା ଅନୁଯାୟୀ, ଗତ ଗୁରୁବାର ଦିନ ଶୁଳିଆପଦା ଥାନା ଅଧୀନ କାଳିଆଷୋଳ ପଣ୍ଡିତ ପେଟ୍ରୋଲ ପମ୍ପରେ ଘଟିଛି ଏହି କାଣ୍ଡ । ବାରିପଦା ସ୍ଥିତ ପଞ୍ଚମ ବାଟାଲିୟନର ସିପାହୀ ଦ୍ଵାରିକା ନାଏକ ଓ ରାଜୀବ କୁମାର ମହାନାଏକ ମଦ ପିଇ ପେଟ୍ରୋଲ ପମ୍ପର ମାଲିକ ଓ କର୍ମଚାରୀଙ୍କୁ ମାରଧର କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହାସହିତ ଅଭିଯୁକ୍ତ ଦ୍ଵାରିକା କାର୍ଯ୍ୟରତ ଯମୁନା ଟୁଡୁଙ୍କୁ ଛାତିରେ ଧକ୍କା ମାରି ଟଣାଓଟରା କରି ତଳେ ପକାଇ ପିଟିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା । ତେବେ ଏହି ସମସ୍ତ ଘଟଣା ପେଟ୍ରୋଲ ପମ୍ପରେ ଥିବା ସିସିଟିଭି ଫୁଟେଜରେ କଏଦ ହୋଇଛି ।
ପେଟ୍ରୋଲ ପମ୍ପର ମାଲିକ ପୋଲିସଙ୍କୁ ଖବର ଦେବାରୁ ପୋଲିସ ପହଞ୍ଚି ଯମୁନାଙ୍କୁ ଡାକ୍ତରଖାନାକୁ ନେଇ ଚିକିତ୍ସା କରିବା ସହିତ ସେ ଥାନାରେ ଲିଖିତ ଏତଲା ଦେଇଥିଲେ । ଗତ ୨ ତାରିଖରୁ ଏତଲା ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୋଲିସ ୨ ପୋଲିସ ଅଧିକାରୀଙ୍କୁ ଗିରଫ କରିନାହିଁ । ସେପଟେ ଆଜି(ମଙ୍ଗଳବାର) ଆଦିବାସୀ ସଂଗଠନ ପେଶା ଗ୍ରାମସଭାର ସଭାପତି ପାଣ୍ଡୁରାମ ହେମ୍ବ୍ରମ ପୀଡି଼ତାଙ୍କ ଘରେ ପହଞ୍ଚି ପୀଡି଼ତାଙ୍କୁ ଆଶ୍ବାସନା ଦେଇଥିଲେ ।
ଏହାସହ ଗ୍ରାମର ଶତାଧିକ ମହିଳା, ପୁରୁଷ ଓ ସଂଗଠନର ସଦସ୍ୟ ଶୁଳିଆପଦା ଥାନାକୁ ଘେରାଉ କରିଛନ୍ତି। ତେବେ ଶୁଳିଆପଦା ଥାନା ଅଧିକାରୀଙ୍କ ସହ ଆଲୋଚନା ପରେ ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଥାନା ଅଧିକାରୀ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ