ବାରିପଦା: କରୋନାର ଦ୍ବିତୀୟ ଲହରୀ ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି । ରାଜ୍ୟରେ ସଂକ୍ରମଣ ରୋକିବାକୁ ମେ ୫ ତାରିଖରୁ ୧୪ ଦିନ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଲକଡାଉନ ସମୟରେ ଲୋକେ ଜରୁରୀ କାମରେ ବାହାରକୁ ଅନୁମତି ଥିବା ବେଳେ ମାସ୍କ ପିନ୍ଧିବା ଜରୁରୀ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ନାମା ଜାରି କରିଛନ୍ତି ।
ଅନ୍ୟପକ୍ଷରେ ମୟୂରଭଞ୍ଜ ଜିଲ୍ଲାରେ ବି ମହାମାରୀ କରୋନା ସଂକ୍ରମଣରେ ରୋକ ଲାଗୁ ନାହିଁ । କିନ୍ତୁ, ଏବେ ବି ଚେତୁ ନାହାନ୍ତି ଅମାନିଆ । ଅମାନିଆଙ୍କ ଠାରୁ ଫାଇନ ଆଦାୟ କରିଛି ମୟୂରଭଞ୍ଜ ପୋଲିସ । ମେ ପହିଲାରୁ ୪ ତାରିଖ ପର୍ଯ୍ୟନ୍ତ ୮ ଲକ୍ଷ ୪୧ ହଜାର ୯୫୦ ଟଙ୍କା ଜରିମାନା ଆଦାୟ କରିଛି ପୋଲିସ । ମେ ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ୧୯୩୧ ଜଣ ମାସ୍କ ପିନ୍ଧି ନଥିବା ଅଭିଯୋଗରେ ଚାଲାଣ କାଟିଛି ପୋଲିସ ସେହିପରି ୯୯ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ଜବତ ସହ, ୯୧୨ ଜଣ ବ୍ୟବସାୟୀ ଓ ୭ ଜଣ ବରକନ୍ୟା କର୍ତ୍ତାଙ୍କ ବିରୋଧରେ କୋଭିଡ ଗାଇଡ଼ ଲାଇନ ଉଲଙ୍ଘନ ଅଭିଯୋଗରେ ୨୨ ଲକ୍ଷ ୧ ହଜାର ୩୫୦ ଟଙ୍କା ଜରିମାନା ଆଦାୟ ହୋଇଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ