ରାଇରାଙ୍ଗପୁର: ଶିମିଳିପାଳ ଜାତୀୟ ଉଦ୍ୟାନର ରାସ୍ତା ଅବ୍ୟବସ୍ଥାକୁ ନେଇ ରାସ୍ତା ଅବରୋଧ କରାଯାଇଛି । ମୟୂରଭଞ୍ଜର ଜୀବନରେଖା କୁହାଯାଉଥିବା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକ ପାଇଁ ଶୁକ୍ରବାର ଖୋଲିଥିଲେ ମଧ୍ୟ ସେଠାରେ ଥିବା ଅବ୍ୟବସ୍ଥାକୁ ନେଇ ଶନିବାର ଜଶୀପୁର ବ୍ଳକର କାଳିକାପ୍ରସାଦ ନିକଟରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ ।
ବିଶେଷ କରି ବରେଇପାଣି, ଗୁଡ଼ିଗୁଡ଼ିଆ ଓ ଅସ୍ତକୁମର ଲୋକଙ୍କ ସହିତ ସ୍ଥାନୀୟ ଲୋକପ୍ରତିନିଧି ମଧ୍ୟ ଶନିବାର ସକାଳ 9ଟା ସମୟରୁ କାଳିକା ପ୍ରସାଦ ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯଶୀପୁର ଦେଇ ପର୍ଯ୍ୟଟକ ଭିତରକୁ ନଯାଇ ଅଟକି ରହିଛନ୍ତି । ଭିତରେ ଥିବା ବିଭିନ୍ନ ସମସ୍ୟା ନେଇ ଶନିବାର ରାସ୍ତା ଅବରୋଧ ହୋଇଛି ।
ଶିମିଳିପାଳ ଜାତୀୟ ଉଦ୍ୟାନ ଭିତର ଚାରିପଟେ ପ୍ରାୟ 500 କିମିରୁ ଉର୍ଦ୍ଧ୍ବ ରାସ୍ତା ଥିବାବେଳେ ସ୍ଥାନୀୟ ଲୋକେ 70 କିମି ରାସ୍ତା ମରାମତି କରିବାକୁ ଦାବି କରିଛନ୍ତି। ତେବେ ଦୀର୍ଘ 4 ଘଣ୍ଟା ରାସ୍ତା ଅବରୋଧ ହେବାପରେ ସ୍ଥାନୀୟ ତହସିଲଦାର, ଥାନା ଅଧିକାରୀ ଏବଂ ବନଖଣ୍ଡ ଅଧିକାରୀ 15 ଦିନ ମଧ୍ୟରେ ରାସ୍ତା ମରାମତି କାର୍ଯ୍ୟ ସମ୍ପାଦନ କରିବାର ପ୍ରତିଶ୍ରୁତି ଦେବାପରେ ଦିନ 1.30ରେ ରାସ୍ତା ଅବରୋଧ ହଟିଥିଲା ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ