ରାଇରଙ୍ଗପୁର: ଅଜଣା ଗାଡି ଧକ୍କାରେ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦାମୁଡିଗୋଡା ଗ୍ରାମ ନିକଟରେ ଗୋଟିଏ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ବାଘିଆଟାଙ୍ଗର ଗ୍ରାମର ରବିନ୍ଦ୍ର ମହାନ୍ତି ବୋଲି ଜଣାପଡିଛି ।
ସୂଚନାନୁସାରେ, ଶନିବାର ରାତିରେ ରବିନ୍ଦ୍ର କାମ ସାରି ବାଇକ ଯୋଗେ ଘରକୁ ଫେରୁଥିଲେ । ହଠାତ ତାଙ୍କୁ ଗୋଟିଏ ଗାଡି ଧକ୍କା ଦେଇଥିଲା । ଫଳରେ ରବିନ୍ଦ୍ର ପାଖ ବିଲକୁ ଛିଟିକି ପଡିଥିଲେ । ଅନ୍ଧାର ହୋଇଥିବାରୁ ତାଙ୍କୁ କେହି ଦେଖି ପାରି ନଥିଲେ । ରାତିସାରା ରବିନ୍ଦ୍ର ଗୁରୁତର ଅବସ୍ଥାରେ ବିଲରେ ପଡି ରହିଥିଲେ ।
ରବିବାର ସକାଳେ ଗାଁର କିଛି ଲୋକ ତାଙ୍କୁ 108 ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଏହା ପରେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣା ବିଷୟରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା,ଇଟିଭି ଭାରତ