ରାଇରଙ୍ଗପୁର: ଟ୍ରେନରେ କଟି ବୃଦ୍ଧଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ରେଲୱେ ଷ୍ଟେସନ ନିକଟରେ ଦେଖିବାକୁ ମିଳିଛି ଏଭଳି ଘଟଣା। ମୃତ ବୃଦ୍ଧ ଜଣକ ୱାର୍ଡ ନଂ 14 ଇଚିଣ୍ଡାର ନରେଶ ମହାନ୍ତ ବୋଲି ଜଣାପଡିଛି।
ଶୁକ୍ରବାର ସକାଳ 6ଟା ସମୟରେ ଟାଟା- ବାଦାମପାହାଡ ଟ୍ରେନ ରାଇରଙ୍ଗପୁର ଷ୍ଟେସନ ଦେଇ ଯିବାପରେ ଲୋକେ ବୃଦ୍ଧଙ୍କ ଖଣ୍ଡ ବିଖଣ୍ଡତ ଶରୀର ଟ୍ରେନ ଲାଇନରେ ପଡିଥିବା ଦେଖିବାକୁ ପାଇଥିଲେ । ମାତ୍ର ଏହି ଅଘଟଣଟି ଏହି ଟ୍ରେନରେ ଘଟିଛି କି ବିଳମ୍ବିତ ରାତିରେ ମାଲବାହୀ ଟ୍ରେନ ଦ୍ବାରା ଘଟିଛି ତାହା ସ୍ପଷ୍ଟ ହୋଇପାରିନାହିଁ। ଟ୍ରେନରେ କଟିଯିବାରୁ ବୃଦ୍ଧଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଛି।
ଏପଟେ ବୃଦ୍ଧ ଜଣକ ଅନେକ ଦିନରୁ କ୍ୟାନସର ରୋଗରେ ପୀଡିତ ଥିବାବେଳେ ମାନସିକ ଚାପରେ ରହି ଟ୍ରେନ ତଳେ ଆସି ଆତ୍ମହତ୍ୟ କରିଥିବା ସନ୍ଦେହ କରାଯାଉଛି। ତେବେ ରାଇରଙ୍ଗପୁର ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ