ରାଇରଙ୍ଗପୁର : ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବାଦନ ଯୋଗୁଁ ଦୁଇ ଶିକ୍ଷକଙ୍କୁ କରାଗଲା ପୁରସ୍କୃତ । ମୟୂରଭଞ୍ଜରେ ଉତ୍କଳ ଦିବସ ଅବସରରେ ଶିକ୍ଷକଙ୍କୁ ସମ୍ମାନୀତ କରାଯାଇଛି । ଗୁରୁ ସମାଜର ମାର୍ଗ ଦର୍ଶକ ହୋଇଥିବା ବେଳେ ଗୁରୁ ସମାଜର ପରିବର୍ତ୍ତନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ଉତ୍କଳ ଦିବସ ଅବସରରେ ସୋର ବ୍ଲକ ସିମୁଳିଆ ଗାଁର ଶିକ୍ଷକ ରବୀନ୍ଦ୍ର ନାଥ ବେହେରା, ମହାରାଣୀ ପ୍ରେମକୁମାରୀ ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭକ୍ତହରି ମହାନ୍ତଙ୍କୁ ପୁରସ୍କାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।
ତେବେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଃ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ବାରିପଦା ଉପଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ, ଜିଲ୍ଲା ଜନସ୍ବାସ୍ଥ୍ୟ ଓ ମୁଖ୍ୟ ଚିକିତ୍ସାଧିକାରୀ ଡ.ରୂପଭାନୁ ମିଶ୍ର ଯୋଗ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ଓଡିଆ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ ।
ସୂଚନା ଓ ଲୋକ ସମ୍ପର୍କ ଭାରପ୍ରାପ୍ତ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି ଅବସରରେ ୨୦୧୭ ମସିହାରେ ରାଜ୍ୟ ପୁରସ୍କାର ପାଇବାକୁ ଥିବା ସୋରିଷକଠା ନୋଡାଲ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରବୀନ୍ଦ୍ରନାଥ ବେହେରା ଓ ମହାରାଣୀ ପ୍ରେମକୁମାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭକ୍ତହରି ମହାନ୍ତଙ୍କୁ ପୁରସ୍କାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷା କ୍ଷେତ୍ରରେ ଉଭୟଙ୍କ ଜୀବନବ୍ୟାପି କାର୍ଯ୍ୟଧାରାକୁ ନେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ରାଜ୍ୟସରକାରଙ୍କ ପ୍ରସ୍ତୁତ ଏକ ଇ-ଫଟୋ ପ୍ରଦର୍ଶନୀ ପ୍ରଦର୍ଶିତ ହୋଇଥିଲା । ପିଲାମାନଙ୍କ ଦ୍ବାରା ଦେଶାତ୍ମକ ବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷବିତ ହୋଇଥିଲା ।
ଏହାପରେ ମହାତ୍ମାଗାନ୍ଧୀ, ବିଜୁ ପଟ୍ଟନାୟକ, ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ, ଉତ୍କଳମଣି ଗୋପବନ୍ଧୁ, ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜ ଦେଓ, ପଦ୍ମଶ୍ରୀ ଡ.କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଓ ଭଞ୍ଜବୀର ସୁନାରାମ ସୋରେନ ପ୍ରମୁଖ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ସମୂହ ମାଲ୍ୟାର୍ପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି, ଡ଼ିଆରଡ଼ିଏ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୌଲତ ଚନ୍ଦ୍ରକାର ଓ ବାରିପଦା ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଖଲ ଚନ୍ଦ୍ର ପରିଡା ଓ ଅନ୍ୟମାନେ ପ୍ରମୁଖ ଯୋଗ ଦେଇଥିଲେ ।
ଇଟିଭି ଭାରତ, ରାଇରଙ୍ଗପୁର