ବାରିପଦା: ରି-ଆଡ଼ମିଶନ ଫି ହ୍ରାସ ଦାବିରେ ମଙ୍ଗଳବାର ଉତ୍ତର ଓଡିଶା ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଶ୍ବବିଦ୍ୟାଳୟ ଫାଟକରେ ତାଲା ପକାଇ କର୍ତ୍ତୃପକ୍ଷଙ୍କ ବିରୋଧରେ ନାରା ଦେଇଥିଲେ ଛାତ୍ରଛାତ୍ରୀ । ଆଗାମୀ ଦିନରେ ରି ଆଡ଼ମିଶନ ଫି ହ୍ରାସ ନ କଲେ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ କୋରୋନା ମହାମାରୀ ସମୟରେ ପରିବାରର ଆର୍ଥିକ ସ୍ଥିତି ବିଗିଡି ଯାଇଥିବା ବେଳେ ରି-ଆଡ଼ମିଶନ ଫି ବଢାଇବା ଆଦୌ ଉଚିତ୍ ନୁହେଁ । ଦୀର୍ଘ 7 ମାସରୁ ଊର୍ଦ୍ଧ୍ବ ହେବ ବିଶ୍ବବିଦ୍ୟାଳୟର କୌଣସି କ୍ଲାସ ରୁମରେ ଶିକ୍ଷାଦାନ ହୋଇ ନଥିବାବେଳେ ବିଦ୍ୟୁତ ବିଲ ଓ ଆନୁସଙ୍ଗିକ ଖର୍ଚ୍ଚ ହୋଇ ନଥିଲେ ବି ରି -ଆଡ଼ମିଶନ ଫି ପୂର୍ବଭଳି ସମାନ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ ।
ତେବେ ମହାମାରୀ କୋରୋନା ସମୟରେ ରି ଆଡ଼ମିଶନ ପାଇଁ ବାରମ୍ବାର ନୋଟିସ୍ ଦିଆଯାଇଥିବାବେଳେ ରାଜ୍ୟ ବାହାରର ଶତାଧିକ ଛାତ୍ରଛାତ୍ରୀ କିପରି ସ୍ବଳ୍ପ ସମୟ ଭିତରେ ନିଜର ଫି ଦାଖଲ କରିବେ ବୋଲି ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଉତ୍ତର ଓଡିଶା ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ