ଭୁବନେଶ୍ବର/ବାରିପଦା: ମୟୂରଭଞ୍ଜ ଜିଲ୍ଲାସ୍ଥିତ ବାରିପଦାରେ ଥିବା ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟକୁ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରାଯାଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି । ଓଡିଶା ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ ଅନୁସାରେ ରାଜ୍ୟ ସରକାର ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ନାମକୁ ପରିବର୍ତ୍ତନ କରିଛନ୍ତି ବୋଲି ରାଜ୍ୟସରକାରଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମିଡିଆ ଆଡଭାଇଜର ମାନସ ମଙ୍ଗରାଜ ଏବଂ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ।
ସେହିପରି ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ ପରେ ବାରିପଦାସ୍ଥିତ ଜୁବୁଲି ଲାଇବ୍ରେରୀ ବା ଶ୍ରୀ ରାମଚନ୍ଦ୍ର ପାଠାଗାରର ପୁନଃରୁଦ୍ଧାର ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏନେଇ ଆଜି(ବୁଧବାର) ବାରିପଦାସ୍ଥିତ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେଡି ପ୍ରବକ୍ତା ସସ୍ମିତ ପାତ୍ର । ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟର ନାମ ପରିବର୍ତ୍ତନ କରାଯାଇ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟ ନାମରେ ନାମକରଣ କରାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ ଓଡିଶା ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ ଅନୁସାରେ ରାଜ୍ୟ ସରକାର ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ନାମକୁ ପରିବର୍ତ୍ତନ କରିଛନ୍ତି ।
ଏହି ବିଶ୍ୱବିଦ୍ୟାଳୟ ୧୩ ଜୁଲାଇ ୧୯୯୮ରେ ସ୍ଥାପନ କରାଯାଇଥିଲା । ଆଜିଠାରୁ ଏହା ମୟୂରଭଞ୍ଜର ପୂର୍ବତନ ମହାରାଜା ତଥା ସ୍ୱତନ୍ତ୍ର ଓଡ଼ିଶା ଗଠନର ପୁରୋଧା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ପରିଚିତ ହେଲା । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ କାର୍ଯ୍ୟକାରିଣୀ ଅବସରରେ ମହାରାଜାଙ୍କ ଅବଦାନକୁ ମନେପକାଇ ବାରିପଦାସ୍ଥିତ ଏହି ବିଶ୍ୱବିଦ୍ୟାଳୟର ନାମକୁ ପରିବର୍ତ୍ତନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି କ୍ରମରେ ରାଜ୍ୟ ଭାଷା ସଂସ୍କୃତି ବିଭାଗ ପାଠାଗାରର ନବୀକରଣ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଚଳିତ ବର୍ଷ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ 150ତମ ଜୟନ୍ତୀ ପାଳନ ଉପଲକ୍ଷେ ସରକାର ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି ।
ପୂର୍ବରୁ ମହାରାଜଙ୍କ ନାମରେ କଟକ ବଡ ମେଡିକାଲ ନାମିତ କରାଯାଇ ଥିବାବେଳେ ବର୍ତ୍ତମାନ ନିଜ ଜନ୍ମସ୍ଥାନରେ ମହାରାଜାଙ୍କ ନାମରେ ବିଶ୍ବବିଦ୍ୟାଳୟ ନାମିତ କରାଯାଇଛି । ଏନେଇ ଖବର ପ୍ରସାରିତ ହେବା ପରେ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ଅନ୍ୟପଟେ ବାରିପଦାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସସ୍ମିତ ପାତ୍ରଙ୍କ ସହ ରାଜସ୍ବ ମନ୍ତ୍ରୀ ସୁଦାମ ମାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ତପନ କୁମାର ଦାସ ଏବଂ ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତିଙ୍କ ରିପୋର୍ଟ, ଇଟିଭି ଭାରତ