ରାଇରଙ୍ଗପୁର: ଆଜୀବନ ସଜା କାଟୁଥିବା କଏଦୀ ଜେଲରୁ ଚମ୍ପଟ । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପକାରାଗାରରୁ ଜଣେ କଏଦୀ ଫେରାର୍ ହୋଇଯାଇଛି । ସେହି କଏଦୀ ବିଶୋଇ ଥାନା ଅନ୍ତର୍ଗତ ବୁଡାମରା ଗ୍ରାମର ଛୋଟୁ ଲୋହାର ବୋଲି ସୂଚନା ମିଳିଛି । ଜେଲ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କୁ ଚକମା ଦେଇ ଆଜୀବନ ସଜା କାଟୁଥିବା ଏହି କଏଦୀ ଫେରାର ହେବାରେ ସକ୍ଷମ ହୋଇଛି । କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କଏଦୀ ଜଣକ ଜେଲରୁ ଫେରାର ହୋଇଯାଇଥିବା ବେଳେ ଜେଲ କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳାକୁ ନେଇ ଚର୍ଚ୍ଚା ହେଉଛି । ଜେଲ କର୍ତ୍ତୃପକ୍ଷ ଓ ରାଇରଙ୍ଗପୁର ଟାଉନ ଥାନା ପୋଲିସ କଏଦୀକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି ।
ଏହାମଧ୍ୟ ପଢନ୍ତୁ... ଜେଲରୁ କଏଦୀ ଚମ୍ପଟ, ନିଲମ୍ବିତ ହେଲେ 2 କର୍ମଚାରୀ
ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ବୁଡାମରା ଗ୍ରାମର ଯୁବକ ଛୋଟୁ ଲୋହାର ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା । ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ୨୦୧୫ ମସିହାରେ ହୋଇଥିବା ଏକ ନରହତ୍ୟା ମାମଲାର ଶୁଣାଣି କରି ଆସାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ପ୍ରାୟ ତିନି ବର୍ଷ ହେବ ଆସାମୀ ଜଣକ ଆଜୀବନ କାରାଦଣ୍ଡର ଦଣ୍ଡାଦେଶ ପାଇ ରାଇରଙ୍ଗପୁର ଉପ କାରାଗାରରେ ବନ୍ଦୀ ଜୀବନ ବିତାଉଥିଲେ ।
ଛୋଟୁ ଲୋହାର ରାଇରଙ୍ଗପୁର ଉପ କାରାଗାରରେ ବନ୍ଦୀ ଜୀବନ ବିତାଉ ଥିବାବେଳେ ଗତକାଲି (ଶନିବାର) ଅପରାହ୍ନ ପାଖାପାଖି ୨ ଟା୩୦ ସମୟରେ ଜେଲ କର୍ମଚାରୀଙ୍କୁ ଚକମା ଦେଇ ଫେରାର ହୋଇଯାଇଥିଲା । ତିନି ବର୍ଷ ଧରି ସଜା କାଟିଥିବା ଛୋଟୁ ଲୋହାର ଜେଲର ମୁଖ୍ୟ ଗେଟ ଦେଇ ଫେରାର ହୋଇ ଯାଇଥିବାର ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି ।
ତେବେ କଏଦୀ ଜଣକ ଜେଲ କର୍ତ୍ତୃପକ୍ଷଙ୍କ ବିଶ୍ବାସ ଭାଜନ ହୋଇ ରହିଥିଲା । ଜେଲର ବିଭିନ୍ନ କାମ ଓ ଜେଲରେ ହେଉଥିବା ପରିବା ଚାଷ କଥା ମଧ୍ୟ ବୁଝୁଥିଲା । ଫେରାର ହେବା ପରେ ଗତକାଲିଠାରୁ ଜେଲ କର୍ତ୍ତୃପକ୍ଷ ଓ କର୍ମଚାରୀମାନଙ୍କ ସହିତ ରାଇରଙ୍ଗପୁର ଟାଉନ ଥାନା ପୋଲିସ ମଧ୍ୟ ଆସାମୀ ଛୋଟୁକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବାରେ ଲାଗିଛନ୍ତି । ବର୍ତ୍ତମାନ ସୁଦ୍ଧା ଛୋଟୁ ଲୋହାରର କୌଣସି ସନ୍ଧାନ ମିଳିପାରି ନାହିଁ । ତେବେ ଆସାମୀ ଜଣକ ପଡୋଶୀ ଝାଡ଼ଖଣ୍ଡ ରାଜ୍ୟକୁ ପଳାଇ ଯାଇଥିବାର ଅନୁମାନ କରାଯାଉଥିବା ବେଳେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଓ ଜେଲ କର୍ତ୍ତୃପକ୍ଷ ଟ୍ରାକ କରି ଖୋଜାଖୋଜି ଜାରି ରଖିଛନ୍ତି ।