ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ପିଶାଚ ସାଜିଲା ମା' । ଘରୋଇ କଳିରୁ ଜନ୍ମ କଲା ଦେଢ଼ ମାସର ପୁଅକୁ ବି ହତ୍ୟା କରିବାକୁ ପଛେଇଲାନି ମାଆ । ସ୍ବାମୀ ଓ ସ୍ତ୍ରୀର କଳିରେ ଏଠାରେ ବଳି ପଡ଼ିଛି ଦେଢ଼ ମାସର ଶିଶୁପୁତ୍ର । ତେବେ ଏପରି ଏକ ଅଭାବନୀୟ ତଥା ଅମାନବୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଅସନା ଗ୍ରାମପଞ୍ଚାୟତର ବାଙ୍କିଡିହି ଗ୍ରାମରେ । ଗାଁ କେନାଲରୁ ଶିଶୁର ମୃତଦେହ ଉଦ୍ଧାର କରିଥିଲେ ଲୋକେ । ଅଭିଯୁକ୍ତ ମାଆକୁ ଗିରଫ କରିଛି ପୋଲିସ ।
ବାଙ୍କିଡିହି ଗ୍ରାମର ସାଲାଇ ନାଏକ ଓ ତାଙ୍କ ଦୁଇ ସ୍ତ୍ରୀ ଏକାଠି ରୁହନ୍ତି । ସାଲାଇ ନାଏକ ଓ ତାଙ୍କ ଦ୍ବିତୀୟ ପତ୍ନୀ ପାର୍ବତୀ ନାଏକଙ୍କ ମଧ୍ୟରେ ଅଧିକାଂଶ ସମୟରେ କୌଣସି ନା କୌଣସି କାରଣକୁ ନେଇ ଝଗଡ଼ା ହେଉଥିବାର ଗ୍ରାମବାସୀଙ୍କଠାରୁ ସୂଚନା ମିଳିଛି । ତେବେ ଗତକାଲି ମଧ୍ୟ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଗତକାଲି ଅସନା ଗ୍ରାମରେ ସାପ୍ତାହିକ ହାଟ ଥିବାରୁ ସାଲାଇ ନାଏକ ହାଟକୁ ଯାଇଥିବା ବେଳେ ଦ୍ବିତୀୟ ପତ୍ନୀ ପାର୍ବତୀ ନିଜ ଜନ୍ମ କଲା ଦେଢ଼ ମାସର ଶିଶୁ ପୁତ୍ରକୁ ହତ୍ୟା କରିବା ପରେ କେନାଲରେ ଫୋପାଡ଼ି ଦେଇଥିଲା । ଗତକାଲି ସନ୍ଧ୍ୟାରେ ସାଲାଇ ନାଏକ ହାଟରୁ ନିଜ ଘରକୁ ପହଞ୍ଚି ନିଜ ଶିଶୁ ପୁତ୍ରକୁ ଖୋଜିଥିଲେ। ହେଲେ ସେ ସମୟରେ ଦ୍ବିତୀୟ ସ୍ତ୍ରୀ ପାର୍ବତୀ ଓ ପୁଅ ଘରେ ନଥିଲେ । ଏ ନେଇ ସାଲାଇ ନିଜ ପ୍ରଥମ ସ୍ତ୍ରୀକୁ ପଚାରିବାରୁ ସେ କହିଥିଲେ ପାର୍ବତୀ ବିଲ କିମ୍ବା ନିଜ ବାପଘରକୁ ଯାଇଥିବା । ସାଲାଇ ପାର୍ବତୀକୁ ଖୋଜାଖୋଜି କରିବା ପାଇଁ ଘରୁ ବାହାରି ଯାଇଥିଲେ ହେଲେ ରାସ୍ତାରେ ପାର୍ବତୀ ଘରକୁ ଫେରୁଥିବା ଦେଖି ପୁଅ କଥା ପଚାରି ଥିଲେ । ତେବେ ପାର୍ବତୀ ନିଜ ପୁଅକୁ ଭାଉଜଙ୍କ ପାଖରେ ଛାଡ଼ି ଆସିଥିବା କହିଥିଲେ ।
ଏହି ମଧ୍ୟ ପଢନ୍ତୁ..ଇଟାରେ ପିଟି ଜ୍ବାଇଁକୁ ହତ୍ୟା କଲେ ଶ୍ବଶୁର ଘର ଲୋକ
ଆଜି ସକାଳୁ ଗାଁ କେନାଲରେ ଏକ ଶିଶୁର ମୃତଦେହ ଭାସୁଥିବା ଦେଖିଥିଲେ ଗ୍ରାମବାସୀ । ପରେ ଘଟଣା ସମ୍ପର୍କରେ ବିଶୋଇ ଥାନା ପୋଲିସକୁ ଖବର ଦେଇଥିଲେ ଗାଁ ଲୋକେ । ଖବର ପାଇ ବିଶୋଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ସମୟରେ ସାଲାଇ ନାଏକଙ୍କ ବୟାନ ରେକର୍ଡ କରିବା ସହ ପାର୍ବତୀକୁ ମଧ୍ୟ ପଚରାଉଚରା କରିଥିଲା ପୋଲିସ । ପରେ ଦେଢ଼ ମାସର ଶିଶୁ ପୁତ୍ରର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲା ପୋଲିସ । ତେବେ ସୋମବାର ବ୍ୟବଚ୍ଛେଦ ପରେ ମୃତ ଶିଶୁପୁତ୍ର ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ । ସେପଟେ ନିଜ ପୁଅକୁ ହତ୍ୟା କରିଥିବା ଅଭିଯୋଗରେ ପାର୍ବତୀକୁ ପୋଲିସ ଗିରଫ କରି ତଦନ୍ତ ଜାରି ରଖିଛି ।
ଇଟିଭି ଭାରତ ,ମୟୂରଭଞ୍ଜ