ରାଇରଙ୍ଗପୁର: ତିନି ଦିନ ପରେ ନିଖୋଜ ନାବାଳକଙ୍କ ମୃତଦେହ ବୁଦା ମୂଳରୁ ଠାବ । ମୟୂରଭଞ୍ଜ କରଞ୍ଜିଆ ଥାନା ଅନ୍ତର୍ଗତ ଘୁଡାଘାଗୁରି ଗ୍ରାମ ନିକଟ ପାର୍ବତୀ ଶାଳରେ ଏକ ପଳସା ବୁଦା ନିକଟରୁ ଜଣେ ସାତ ବର୍ଷର ଶିଶୁ ପୁତ୍ରର ମୃତଦେହ ଠାବ କରାଯାଇଛି ।
ଗାଇ ଚରାଇବାକୁ ଆସିଥିବା କିଛି ଯୁବକ ମୃତଦେହ ଦେଖି ପରିବାର ସହିତ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ସେପଟେ ମୃତକଙ୍କ ବାପା ମଝିଆ ସିଧୁ ନିଜ ପୁଅକୁ ତିନି ଦିନ ହେବ ଖୋଜୁଥିବା ବେଳେ ଗୁରୁବାର ନିଜ ପୁଅ (ନିର ସିଧୁର) ମୃତଦେହ ଚିହ୍ନଟ କରିଛନ୍ତି ।
ଘଟଣାରୁ ପ୍ରକାଶ କି, ଗତ ତିନି ଦିନ ପୂର୍ବରୁ ଝାଡାଡୁମୁରିଆ ଗ୍ରାମର ଚାରି ଭାଇ, ଭଉଣୀଙ୍କ ସହିତ ଗେଣ୍ଡା ସଂଗ୍ରହ କରିବା ପାଇଁ ନିକଟ ନାଳ ପାଖକୁ ଯାଇଥିଲେ । ହେଲେ ପ୍ରବଳ ବର୍ଷା ଏବଂ ଘଡଘଡି ଯୋଗୁଁ ଅନ୍ୟ ଭାଇ ଭଉଣୀ ମାନେ ନିକଟ ଏକ ଘରକୁ ଚାଲି ଯାଇଥିଲେ କିନ୍ତୁ ମୃତକ ନିର ସିଧୁ ଏକୁଟିଆ ରହିଯାଇଥିଲେ ।
ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ