ରାଇରଙ୍ଗପୁର: ହନୁମାନ ମୁଦ୍ରାର ଲୋଭ ଦେଖାଇବା ସହିତ ଦୁଇ ତିନି ବର୍ଷରେ ଟଙ୍କା ଦ୍ଵିଗୁଣିତ ହେବା କହି ୩୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଥିଲେ । ଅଭିଯୋଗ ପରେ ତିନି ଜଣ ଠକଙ୍କୁ ଗିରଫ କରିଛି ପୋଲିସ । ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ଅଞ୍ଚଳରୁ । ଗିରଫ ଅଭିଯୁକ୍ତମାନେ ହେଲେ ତିରିଂ ଥାନା ଅନ୍ତର୍ଗତ ଜଟା ଗ୍ରାମର ଗୋବିନ୍ଦ ବିନ୍ଧାଣୀ, ଦାମାଡିହି ଗ୍ରାମର ପ୍ରତାପ ସିଂ ଓ ସାନନାରାୟଣୀ ଗ୍ରାମର ମଙ୍ଗଲ ବାରି ।
ସୂଚନା ଅନୁଯାୟୀ, ଏହି ୩ ଜଣ ଅଭିଯୁକ୍ତ ତିରିଂ ଥାନା ଅଞ୍ଚଳରେ ହନୁମାନ ମୁଦ୍ରା କାରବାର ଚଳାଉଥିଲେ । ହନୁମାନ ମୁଦ୍ରା ବଜାରରେ ଲକ୍ଷାଧିକ ଟଙ୍କାରେ ବିକ୍ରି ହେଉଥିବାର ପ୍ରଲୋଭନ ଦେଖାଇବା ସହିତ ଦୁଇ ତିନି ବର୍ଷ ମଧ୍ୟରେ ଦୁଇଗୁଣ ଟଙ୍କା ଦେବାର ପ୍ରତିଶୃତି ଦେଇ ମୋଟା ଅଙ୍କର ଟଙ୍କା ନେଇ ନିରିହ ଲୋକଙ୍କୁ ଠକି ଆସୁଥିଲେ । ଲୋକଙ୍କ ସରଳତାର ସୁଯୋଗ ନେଇ ଲକ୍ଷାଧିକ ଟଙ୍କା ଠକି ନେଇଯାଉଥିଲେ ଏହି ଠକ ଗ୍ୟାଙ୍ଗ । ତେବେ ତିରିଂ ଥାନା ମାକିଡିଘାଟି ଅଞ୍ଚଳରେ ଏହି ଗ୍ୟାଙ୍ଗ ହନୁମାନ ମୁଦ୍ରା କାରବାର କରୁଥିବାବେଳେ ବିଶେଷ ସୂତ୍ରରୁ ଖବର ପାଇ ତିରିଂ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା ।
ଚଢ଼ାଉ ସମୟରେ ଏହି ତିନି ଜଣ ଠକଙ୍କୁ ଧରିବାରେ ସଫଳ ହୋଇଥିଲା ତିରିଂ ଥାନା ପୋଲିସ । ସେମାନଙ୍କ ନିକଟରୁ ପାଞ୍ଚଟି ତମ୍ବା ମୁଦ୍ରା, ତିନୋଟି ମୋବାଇଲ ଫୋନ ଓ ଗୋଟିଏ ହ୍ୟୁଣ୍ଡାଇ କାର ଜବତ କରିଛି ପୋଲିସ । ତେବେ ଅଧିକ ପଚରାଉଚରା ପରେ ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ସେମାନେ ବିଭିନ୍ନ ଲୋକଙ୍କ ଠାରୁ ଠକି ନେଇଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି । ମଙ୍ଗଳବାର ତିନି ଅଭିଯୁକ୍ତଙ୍କୁ ରାଇରଙ୍ଗପୁର କୋର୍ଟ ଚାଲାଣ କରାଯାଇଥିବା ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ପ୍ରତିକ୍ରିୟାରେ କହିଛନ୍ତି ।
ଇଟିଭି ଭାରତ, ରାଇରଙ୍ଗପୁର