ରାଇରଙ୍ଗପୁର: ଶିମିଳିପାଳ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଅଧପୋଡ଼ା ହାଡ଼ମାଂସ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଏଠାରେ ଜଣେ ଯୁବକଙ୍କୁ ହତ୍ୟା କରି ପୋଡ଼ି ଦେଇଥିଲେ ଦୁଇ ଅଭିଯୁକ୍ତ । ଗତ ୨୪ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ସାନଶିଆଳିନଇ ଗ୍ରାମ୍ୟ ଶିମିଳିପାଳ ଜଙ୍ଗଲରୁ ମିଳିଥିଲା ଏକ ଦରପୋଡା ମୃତଦେହର ହାଡ଼ମାଂସ । ତେବେ ଏଭଳି ସମ୍ବେଦନଶୀଳ ଘଟଣାକୁ ମୟୂରଭଞ୍ଜ ପୋଲିସ ଅତି ଗୁରୁତ୍ବର ସହ ନେଇ ତଦନ୍ତ ଆରମ୍ଭ କରିଥିଲେ ।
ଘଟଣା ଦିନ ଏହା ମଣିଷ କି କୌଣସି ଜନ୍ତୁର ହାଡ଼ମାଂସ ଜଣା ପଡିନଥିଲା । ଏହାର ନମୁନା ଯାଞ୍ଚ ପାଇଁ PRM ମେଡ଼ିକାଲ କଲେଜ ବାରିପଦାକୁ ପଠାଯାଇଥିଲା । ଯାଞ୍ଚ ପରେ ଏହା ମଣିଷର ହାଡ଼ମାଂସ ଜଣାପଡ଼ିଥିଲା । ହାଡ଼ମାଂସ ଉଦ୍ଧାର ସ୍ଥାନରେ କିଛି ଗାଡି ପୋଡ଼ା ଟାୟାରର ଅଂଶ ପଡ଼ିଥିଲା । ଟାୟାର ସାହାଯ୍ୟରେ ଜଣଙ୍କୁ ପୋଡ଼ା ଯାଇଥିବାରୁ ବିଭିନ୍ନ ସ୍ଥାନରେ ଟାୟାର ଦୋକାନୀଙ୍କ ସୂଚନାକୁ ଆଧାର କରି ବିଭିନ୍ନ ସ୍ଥାନର CCTV ଫୁଟେଜ ଯାଞ୍ଚ କରିଥିଲା ପୋଲିସ ।
ପ୍ରାଥମିକ ତଦନ୍ତରୁ କିଛି ତଥ୍ୟ ପାଇ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରିଥିଲା । ଏହାପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ମାର୍ଚ୍ଚ ୨୨ ତାରିଖରେ ଏକ ସଫାରି ଗାଡିରେ କେନ୍ଦୁଝର ଜିଲ୍ଲା ରାଙ୍କି ଗାଁରୁ ଆଦିତ୍ୟ ନାରାୟଣ ସ୍ବାଇଁ ନାମକ ଯୁବକଙ୍କୁ ନିଶା ନିବାରଣ କେନ୍ଦ୍ର ବାରିପଦା ଆଣୁଥିଲେ । ସେହି ସମୟରେ ଆଦିତ୍ୟ ଓ ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଆଦିତ୍ୟକୁ ରାସ୍ତାରେ ପିଟିପିଟି ହତ୍ୟା କରିଥିଲେ ଦୁଇ ଅଭିଯୁକ୍ତ । ଆଦିତ୍ୟକୁ ପିଟିପିଟି ହାତଗୋଡ଼ ବାନ୍ଧି ଗାଡି ଭିତରକୁ ଫିଙ୍ଗି ଦେଇଥିଲେ । ଏହାପରେ ମାର୍ଚ୍ଚ ୨୩ ତାରିଖରେ ସାନଶିଆଳିନଇ ଗାଁ ଜଙ୍ଗଲ ନିକଟରେ ଥିବା ଏକ ବନ୍ଧହୁଡା ନିକଟରେ ନିଆଁ ଲଗାଇ ପୋଡ଼ି ଦେଇଥିଲେ ।
ଏହା ଜଣା ପଡିବା ପରେ କେନ୍ଦୁଝର ଟାଉନ ଅଞ୍ଚଳରୁ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ ହୋଇଛନ୍ତି । ଦୁଇ ଯୁବକ ଘଟଗାଁ ଥାନା ଅଞ୍ଚଳର ସୌରଭ ପଲେଇ ଓ କେନ୍ଦୁଝର ଟାଉନ ଥାନା ଅଞ୍ଚଳର ବବଲୁ ପାଢ଼ି ବୋଲି ଜଣାପଡ଼ିଛି । ଅଭିଯୁକ୍ତଙ୍କୁ ଗିରଫ କରି ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଗାଡିକୁ ଜବତ କରିଛି ପୋଲିସ । ଆଜି(ମଙ୍ଗଳବାର) ଅପରାଧର ରି-କ୍ରିଏସନ କରିଥିଲା ମୟୂରଭଞ୍ଜ ପୋଲିସ ।
ପୋଲିସ ନିକଟରେ ଦୋଷ ସ୍ୱୀକାର କରିଛନ୍ତି ଦୁଇ ଅଭିଯୁକ୍ତ । ସେପଟେ ପୁଅକୁ ଅପହରଣ କରି ତାର ଶରୀରର କିଛି ଅଙ୍ଗ ବିକ୍ରି କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ତାକୁ ପୋଡ଼ିଦେଇଛନ୍ତି ବୋଲି ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର । ତେବେ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ସରିବା ପରେ ହିଁ ସବୁ ସତ୍ୟାସତ୍ୟ ପଦାକୁ ଆସିବ ବୋଲି କହିଛି ପୋଲିସ ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ