ବାରିପଦା: ଗଠନ ହୋଇସାରିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ଟିମ୍ । ଓଡିଶାରୁ ଜଣେ ମନ୍ତ୍ରୀ ଆଉଟ ହୋଇଥିବାବେଳେ 2 ଜଣ ନୂଆ ଚେହେରା ହୋଇଛନ୍ତି ଇନ । ଏଥର ମୋଦି କ୍ୟାବିନେଟରେ ସାମିଲ ହୋଇଛନ୍ତି ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ ।
ଆଦିବାସୀ ନେତା ଭାବରେ ଓଡିଶାରେ ରହିଛି ବିଶେଶ୍ବର ଟୁଡୁଙ୍କ ସ୍ବତନ୍ତ୍ର ସ୍ଥାନ । 2019 ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଲୋକସଭା ଆସନରୁ ନିର୍ବାଚନ ଲଢି ବିଜୟ ହାସଲ କରିଥିଲେ ବିଶେଶ୍ବର ।
56 ବର୍ଷୀୟ ସାଂସଦ ବିଶେଶ୍ବର ଟୁଡୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଙ୍ଗରେ ହାସଲ କରିଛନ୍ତି ଡିପ୍ଲୋମା ଡିଗ୍ରୀ । ନିଜ ରାଜନୈତିକ କ୍ୟାରିଅର ଆରମ୍ଭ ପର୍ବରୁ ଟୁଡୁ ସାମାଜିକ ସଂଗଠନ ତଥା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(RSS)ର ଶାଖା ବିଦ୍ୟାଭାରତୀ ସହ ଜଡିତ ଥିଲେ ।
ଦୀର୍ଘ 19 ବର୍ଷରୁ ସେ ବନବାଣୀ କଲ୍ୟାଣ ଆଶ୍ରମ ସହ ଜଡିତ ରହିଆସିଛନ୍ତି । ନଭେମ୍ବର 2020ରେ ଟୁଡୁଙ୍କୁ ମଧ୍ୟପ୍ରଦେଶ ବିଜେପିର ଉପ ପ୍ରଭାରୀ ଭାବରେ ନିଯୁକ୍ତ କରାଯାଇଥିଲା ।
ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ବିଶେଶ୍ବର ଟୁଡୁଙ୍କ ଜନ୍ମ । ମୟୂରଭଞ୍ଜରେ ବିଜେରି ସଂଗଠନ ବେଶ ମଜବୁତ ରହିଛି । ତେବେ ଏହି ଜିଲ୍ଲାରେ କ୍ଷମତାସୀନ ବିଜୁ ଜନତା ଦଳ ନିଜର ଦବଦବା ଜାହିର କରିବାକୁ ପ୍ରୟାସ ଜାରି ରଖିଛି ।
ଟୁଡୁଙ୍କୁ କ୍ୟାବିନେଟରେ ସାମିଲ କରି ଗୋଟିଏ ତୀରରେ ଦୁଇଟି ଲକ୍ଷ୍ୟ ଭେଦ କରିବାକୁ ଚେଷ୍ଟା କରୁଛି ବିଜେପି । ମୟୂରଭଞ୍ଜ ଜାତୀୟ ଦଳର ପସନ୍ଦରେ ଥିବା ଏକ ବାର୍ତ୍ତା ଦେବା ପାଇଁ ବିଶେଶ୍ବରଙ୍କୁ କ୍ୟାବିନେଟରେ ସାମିଲ କରାଯାଉଥିବା ଅନୁମାନ କରାଯାଇପାରେ ।
ସେପଟେ ଆଉ ଏକ ଦିଗକୁ ଯଦି ଲକ୍ଷ୍ୟ କରିବା, ତାହେଲେ ଲୋକସଭା ନିର୍ବାଚନରେ ଜିଲ୍ଲାରେ ଶଙ୍ଖର ପରାଜୟ ପରେ ମୟୂରଭଞ୍ଜ ଦାୟିତ୍ବରେ ରହିଛନ୍ତି ବିଜେଡିର ସଙ୍କଟମୋଚକ ତଥା ଟାଣୁଆନେତା ପ୍ରଣବ ପ୍ରକାଶ ଦାସ । ମୟୂରଭଞ୍ଜରେ ପ୍ରଣବ ପ୍ରକାଶ ଦାସଙ୍କର ରହିଛି ବେଶ ସାଂଗଠନିକ ଦକ୍ଷତା । ତେବେ ବିଜେଡିର ଶକ୍ତି ସଙ୍କୁଚିତ କରିବାକୁ ଟୁଡୁଙ୍କ କ୍ୟାବିନେଟରେ ସାମିଲ କରାଇ ବିଜେପି ମୟୂରଭଞ୍ଜ ଗଡକୁ ସେଫ୍ ଜୋନରେ ରଖିବାକୁ ପ୍ରୟାସ କରୁଥିବା କୁହାଯାଇପାରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ