ରାଇରଙ୍ଗପୁର: ମୟୂରଭଞ୍ଜରେ ଏକ ନାବାଳିକା ଯୌନ ନିର୍ଯାତନା ମାମଲାରେ ଦୋଷୀକୁ ୫ ବର୍ଷ ଜେଲ୍ ହୋଇଛି । ଜେଲଦଣ୍ଡ ସହିତ ୫୦୦୦ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ବର୍ଷକ ତଳେ ମୋରୋଡା ଥାନା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଥିଲା । ଆସାମୀ ତାରାଶଙ୍କର ସାହୁ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ସୋମବାର ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ଏହି ମାମଲାର ଶୁଣାଣି କରି ତାରା ଶଙ୍କରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୫ ବର୍ଷ ଜେଲ୍ ସହ ୫ ହଜାର ଟଙ୍କା ଜରିମାନା ଅନାଦେୟ ହେଲେ ଅଧିକ ୩ ମାସ କାରାଦଣ୍ଡ ଭୋଗିବାକୁ ରାୟ ଶୁଣାଇଛନ୍ତି ।
ସୂଚନା ଅନୁଯାୟୀ, ୨୦୨୨ ମସିହା ମାର୍ଚ୍ଚ ମାସ ୦୧ ତାରିଖ ଦିନ ଜନୈକା ନାବାଳିକା ଘରେ ଏକୁଟିଆ ଥିଲେ । ଏହାର ସୁଯୋଗ ନେଇ ଆସାମୀ ତାରା ଶଙ୍କର ନାବାଳିକାଙ୍କୁ ଯୌନ ନିର୍ଯ୍ୟାତନା ଦେବା ସହିତ ଦୁଷ୍କର୍ମ ଉଦ୍ୟମ କରିଥିଲା । ସୌଭାଗ୍ୟବଶତଃ ନାବାଳିକା ଜଣକ ସେଠାରୁ ଖସି ପଳେଇ ଆସିଥିଲେ । ସେ ପାଖ ପଡୋଶୀ ଘରେ ପହଞ୍ଚି ସବୁ କଥା ଜଣାଇଥିଲେ । ପରେ ନାବାଳିକାର ପରିବାର ଲୋକେ ଘଟଣା ସମ୍ପର୍କରେ ଅବଗତ ହେବା ପରେ ମୋରୋଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ମୋରୋଡା ଥାନା ପୋଲିସ ପୀଡିତାଙ୍କ ବୟାନ ରେକର୍ଡ କରିବା ସହ ଏକ ମାମଲା ରୁଜୁ କରିଥିଲା ଏବଂ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ଏହାମଧ୍ୟ ପଢନ୍ତୁ: ଗାଁରେ ପଶି ପାରିଲାନି ଆମ୍ବୁଲାନ୍ସ; ୪ କିମି ବୁହାହେଲେ ଗର୍ଭବତୀ, ଅଧବାଟରେ ଶିଶୁ ଜନ୍ମ
ସୋମବାର ସ୍ବତନ୍ତ୍ର ପୋକ୍ସୋ କୋର୍ଟରେ ଏହି ଯୌନ ନିର୍ଯାତନା ମାମଲାର ଶୁଣାଣି ହୋଇଛି । ମାମଲାର ବିଚାର ସମୟରେ ୧୧ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ଓ ପୋଲିସର ରିପୋର୍ଟକୁ ଭିତ୍ତି କରି ବିଚାରପତି ଆସାମୀକୁ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଜରିମାନା ଦଣ୍ଡ ଶୁଣାଇଛନ୍ତି । ଏହାସହିତ ପୀଡିତାଙ୍କୁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ଜିଲ୍ଲା ଆଇନ ସହାୟତା ବିଭାଗକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ପୋକ୍ସୋ କୋର୍ଟର ସ୍ବତନ୍ତ୍ର ପିପି ଅଭିନ୍ନ କୁମାର ପଟ୍ଟନାୟକ ସରକାରଙ୍କ ପକ୍ଷରୁ ଏହି ମାମଲା ପରିଚାଳନା କରୁଥିଲେ । ରାୟ ପ୍ରକାଶ ପାଇବା ପରେ ଆସାମୀ ତାରାଶଙ୍କର ସାହୁକୁ ବାରିପଦା ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି ।
ଇଟିଭି ଭାରତ, ରାଇରଙ୍ଗପୁର