ରାଇରଙ୍ଗପୁର: କୋଉ ମାଛ ଧରିବା ହେଲା କାଳ । ପାଟିରେ ପଶି ତଣ୍ଟିରେ ଲାଖି ଯିବାରୁ ଜଣେ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ଅନ୍ତର୍ଗତ କୁଦାହାନସା ଗ୍ରାମରେ । ମୃତକ ଜଣକ ହେଉଛନ୍ତି କୁଦାହାନସା ଗ୍ରାମର ବେଣି ମୁର୍ମୁଙ୍କ ପୁଅ ଟିକା ମୁର୍ମୁ ।
ଏହା ମଧ୍ୟ ପଢ଼ନ୍ତୁ: Presidents Event Blackout: ରାଷ୍ଟ୍ରପତିଙ୍କ ଅପମାନ ପ୍ରତିବାଦରେ ବାମନଘାଟି ନାଗରିକ ମଞ୍ଚର ମୌନ ଧାରଣା
ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ସାଢେ଼ ୧୧ଟା ସମୟରେ ମାଛ ଧରିବା ପାଇଁ ଗ୍ରାମ ନିକଟସ୍ଥ ଏକ ପୋଖରୀକୁ ଯାଇଥିଲେ। ସେହି ପୋଖରୀ ଗ୍ରାମର କିଛି ବାସିନ୍ଦା ମଧ୍ୟ ମାଛ ଧରୁଥିଲେ । ଟିକା ମୁର୍ମୁ ମାଛ ଧରୁଧରୁ ଏକ କୋଉ ମାଛ ଧରିଥିଲେ । ଗୋଟିଏ ମାଛକୁ ଧରି ପାଟିରେ କାମୁଡି ରଖିଥିଲେ ଏବଂ ଅନ୍ୟ ମାଛ ଧରିବା ପାଇଁ ବ୍ୟସ୍ତ ଥିଲେ। ତେବେ ଅତ୍ୟଧିକ ଲୋଭ ଶେଷରେ ତାଙ୍କ ପାଇଁ ମାହାଙ୍ଗା ପଡ଼ିଲା । ହଠାତ ମାଛଟି ତାଙ୍କ ପାଟିରେ ପଶିଯାଇ ତଣ୍ଟି ନିକଟରେ ଅଟକି ଯାଇଥିଲା । କିଛି ସମୟ ମଧ୍ୟରେ ସେ ସେହିଠାରେ ହିଁ ଅଚେତ ହୋଇ ପଡ଼ି ଯାଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ: ମର୍ଯ୍ୟାଦା ଭୁଲିଗଲେ ମନ୍ତ୍ରୀ, ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ଗୋଡ ଉପରେ ଗୋଡ ପକାଇ ବସିଥିଲେ
ସେଠାରେ ଥିବା ସ୍ଥାନୀୟ ଲୋକେ ବହୁ ଚେଷ୍ଟା ପରେ ମଧ୍ୟ ମାଛକୁ ତଣ୍ଟିରୁ ବାହାର କରି ପାରିନଥିଲେ । ଶେଷରେ ତାଙ୍କୁ ଉଦ୍ଧାର କରି ଘରକୁ ନେଇ ଯାଇଥିଲେ । ପରେ ପରିବାର ଲୋକେ ତାଙ୍କୁ ନିକଟସ୍ଥ ଯାମଦା ମେଡିକାଲ ନେଉଥିବା ବାଟରେ ହିଁ ଟିକା ମୁର୍ମୁଙ୍କ ମୃତ୍ୟୁ ଘଟିଥିଲା । ତେବେ ସେଠାରୁ ମେଡିକାଲ ନ ନେଇ ସିଧାସଳଖ ମୃତଦେହକୁ ପରିବାର ଲୋକେ ଘରକୁ ନେଇ ଯାଇଥିବା ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି । ଟିକା ମୁର୍ମୁଙ୍କ ପରିବାର କହିଲେ ଗୋଟିଏ ପୁଅ, ଗୋଟିଏ ଝିଅ ଓ ସ୍ତ୍ରୀ । ମୃତ୍ୟୁ ପରେ ଗ୍ରାମରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଟିକା ମୁର୍ମୁଙ୍କ ମୃତ୍ୟୁ ଖବର ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତେବେ ଘଟଣା ସମ୍ପର୍କରେ ଯାମଦା ଥାନାରେ କୌଣସି ଏତଲା ଦିଆଯାଇନଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢ଼ନ୍ତୁ: ମହଙ୍ଗା ପଡିଲା ରାଷ୍ଟ୍ରପତିଙ୍କ ହେଲିକପ୍ଟର ସହ ଫଟୋ ଉଠାଇବା, ଚାକିରିରୁ ନିଲମ୍ବିତ ହେଲେ ଫାର୍ମାସିଷ୍ଟ
ଇଟିଭି ଭାରତ, ରାଇରଙ୍ଗପୁର