ରାଇରଙ୍ଗପୁର: ଅଣ୍ଟା ବ୍ୟଥା ହେଉଥିବା କହିବାରୁ ଦେଇଦେଲେ ଭୁଲ ଇଞ୍ଜେକ୍ସନ । ଫଳରେ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି ରୋଗୀଜଣଙ୍କ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅଞ୍ଚଳରେ । ମହୁଲଡିହା ଗ୍ରାମର ଶ୍ରୀକାନ୍ତ ମହାନ୍ତ ନାମକ ଜଣେ ବ୍ୟକ୍ତିଙ୍କର ଅଣ୍ଟା ବ୍ୟଥା ହେଉ ଥିଲା । ଠକ ଚିକିତ୍ସକ କାହାର ଅଣ୍ଟା ବ୍ୟଥା ଆଉ କଣ ସମସ୍ୟା ଅଛି ବୋଲି ପଚାରିବା ସହ ଠାକୁରମୁଣ୍ଡା ଡାକ୍ତରଖାନାରୁ ଆସିଥିବା କହିଥିଲେ ।
ଏହାପରେ ଶ୍ରୀକାନ୍ତଙ୍କ ପତ୍ନୀ ତାଙ୍କୁ ଘରକୁ ଡାକି ନେଇଥିଲେ । ଠକ ଚିକିତ୍ସକ ବିଶ୍ୱନାଥ ବେହେରା ଶ୍ରୀକାନ୍ତଙ୍କ ଶରୀରକୁ ପ୍ରଥମେ ଚେକ୍ କରି ୩ଟି ଇଞ୍ଜେକ୍ସନ ଦେଇଥିଲେ । ଇଞ୍ଜେକ୍ସନ ଦେବା ପରେ ଟଙ୍କା ମାଗିବାରୁ ଶ୍ରୀକାନ୍ତଙ୍କ ପତ୍ନୀ ପୁଅକୁ ଡକେଇଥିଲେ l ପୁଅ ଆସି ଦେଖିବା ବେଳକୁ ଇଞ୍ଜେକ୍ସନ ପଶୁଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଜାଣିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ପୂର୍ବତନ ସମିତି ସଭ୍ୟଙ୍କୁ ଡାକି ଠକ ଚିକିତ୍ସକ ବିଶ୍ୱନାଥ ବେହେରାକୁ ଥାନାକୁ ନେଇଥିଲେ ।
ଥାନାରେ ପୋଲିସ ଏକ ଲିଖିତ ଅଭିଯୋଗ କରି ଠକ ଚିକିତ୍ସକ ବିଶ୍ୱନାଥକୁ ଛାଡ଼ି ଦେଇଥିବା ଜଣାପଡିଛି । ବିଶ୍ୱନାଥ ବେହେରାଙ୍କ ଘର ଆନନ୍ଦପୁର କଣ୍ଟିପାଳ ଗ୍ରାମରେ । ସେ ଶ୍ରୀକାନ୍ତଙ୍କୁ ମେଲୋକ୍ସିକାମ ( MELOXICAM) ଇଞ୍ଜେକ୍ସନ ଦେଇଥିବା ଏବଂ ଖୋଳରେ ମଣିଷଙ୍କ ପାଇଁ ନୁହେଁ ପଶୁଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଲେଖାଥିବା ଦେଖିବାକୁ ମିଳିଛି । ତେବେ ଠାକୁରମୁଣ୍ଡା ଅଞ୍ଚଳରେ କ୍ଵାକ ମାନଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗାଁ ଗହଳିରେ ଚିକିତ୍ସା ବ୍ୟବସ୍ଥା କ୍ଵାକ ମାନଙ୍କ ଦ୍ୱାରା କବଳିତ ବୋଲି ସାଧାରଣରେ ଆଲୋଚନା ହେଉଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ