ରାଇରଙ୍ଗପୁର: ଜଗତଜନନୀ ମା' ଦୁର୍ଗାଙ୍କ ମହାନବମୀ ପୂଜା । ସକାଳୁ ସୂର୍ଯ୍ୟ ଦେବତାଙ୍କ ପୂଜାର୍ଚ୍ଚନା କରାଯାଇ ସହରର ବିଭିନ୍ନ ପୂଜା ମଣ୍ଡପରେ ମହାନବମୀ ପୂଜା ଅନୁଷ୍ଠିତ ହୋଇଯାଇଛି ।
ସହରରେ ପ୍ରବଳ ବର୍ଷା ହେବା ସତ୍ତ୍ବେ ପୂଜା ମଣ୍ଡପ ଗୁଡିକରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଶ୍ରଦ୍ଧାଳୁ ମାନେ ମା'ଙ୍କ ପୂଜାର୍ଚ୍ଚନା କରିଥିବାର ଦେଖିବାକୁ ମିଳିଛି । ମହାନବମୀର ପୂଜା, ହୋମ, ଯଜ୍ଞ, ପୁଷ୍ପାଞ୍ଜଳି ପ୍ରକ୍ରିୟା ସମ୍ପନ୍ନ ପରେ ଆରମ୍ଭ ହୋଇଥିଲା କୁଆଁରୀ ପୂଜା । କୁଆଁରୀ କନ୍ୟାମାନଙ୍କୁ ଗୋଡ଼ ଧୋଇବା ପରେ ସଜ୍ଜେଇ ଦିଆଯାଇଥିଲା । ପରେ ସେମାନଙ୍କୁ ପୂଜାର୍ଚ୍ଚନା କରାଯାଇ ଅନ୍ନଭୋଗ ପରସା ଯାଇଥିଲା । ବେଶ ଆନନ୍ଦ ସହକାରେ କୁଆଁରୀ କନ୍ୟାମାନେ ଅନ୍ନଭୋଗ ଗ୍ରହଣ କରିଥିଲେ । ସତେଯେମିତି ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ଦେଖିବାକୁ ମିଳିଥିଲା ।
କୁଆଁରୀ ପୂଜା ପରେ ଶହ ଶହ ଶ୍ରଦ୍ଧାଳୁ ମାନଙ୍କୁ ଅନ୍ନଭୋଗ ବଣ୍ଟନର କାର୍ଯ୍ୟକ୍ରମ କରାଯାଇଥିଲା । ପୂଜା ମଣ୍ଡପ ଗୁଡିକ ଢୋଲ, ଶଙ୍ଖ, ଘଣ୍ଟଘଣ୍ଟା ଶବ୍ଦରେ କମ୍ପି ଉଠୁଥିଲା । ତା' ସହିତ ମଣ୍ଡପରେ ମହାନବମୀ ପୂଜା ଅବସରରେ ମନ୍ତ୍ର ଧ୍ବନିରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଉଠୁଥିଲା । ମା'ଙ୍କ ମହାନବମୀ ପୂଜା ତଥା ଦର୍ଶନ କରିବା ପାଇଁ ରାଇରଙ୍ଗପୁର ସହର ତଥା ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସହରର ବିଭିନ୍ନ ପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାରୁ ଶ୍ରଦ୍ଧାଳୁମାନେ ଏହାକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ