ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ଠକାମିର ନୂତନ କୌଶଳ । ଋଣ ଦେବା ନାଁରେ ଲୋକମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟୁଥିଲେ ଦୁର୍ବୃତ୍ତ । ତେବେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ଏହି ଠକାମିର ପର୍ଦ୍ଦାଫାଶ କରି ମାଷ୍ଟରମାଇଣ୍ଡକୁ ଗିରଫ କରିଛି ।
ମିଳିଥିବା ସୂଚନା ମୁତାବକ, 3 ଜଣ ଦୁର୍ବୃତ୍ତ ନିଜକୁ ମୁଥୁଟ ଫାଇନାନ୍ସର ଫିଲ୍ଡ ଅଫିସର ଓ ବ୍ୟାଙ୍କ ମ୍ୟାନେଜର ଦର୍ଶାଇ ସାଧାରଣ ଲୋକଙ୍କୁ ଲୁଟି ଆସୁଥିଲେ । ପୋଲିସ ସେମାନଙ୍କ ମଧ୍ୟରୁ ଫିଲ୍ଡ ଅଫିସର ସାଜିଥିବା ଦୁଇ ଜଣ ବ୍ୟକ୍ତି ରାଇହରି ଗ୍ରାମର ପବିତ୍ର ପାତ୍ର ଓ ବଡ଼ଡାଳିମା ଗ୍ରାମର କାହ୍ନାଇ ହାଁସଦାଙ୍କୁ ଗତ ଜୁନ ମାସରେ ଗିରଫ କରିଥିଲେ । କିନ୍ତୁ ଫେରାର ଥିବା ଘଟଣାର ମାଷ୍ଟରମାଇଣ୍ଡ ଠକ ମ୍ୟାନେଜରକୁ ପୋଲିସ ଗୁରୁବାର ଗିରଫ କରିବାରେ ସଫଳ ହୋଇଛି ।
ଗିରଫ ମାଷ୍ଟର ମାଇଣ୍ଡ ଜଣକ ବଡ଼ସାହି ଥାନା ବାଘମାରି ଗାଁର ଖଗେନ୍ଦ୍ର ମହାନ୍ତ ବୋଲି ଜଣାପଡିଛି । ଉକ୍ତ ଠକ ଗ୍ୟାଙ୍ଗ ମୁଥୁଟ ଫାଇନାନ୍ସ ସଂସ୍ଥାର ପରିଚୟ ଦେଇ ରାଇରଙ୍ଗପୁର, ତିରିଂ,ବିଶୋଇ ଓ ଗୋରୁମହିଷାଣି ଥାନା ଅଞ୍ଚଳର ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଥିଲା । ସେମାନେ ପ୍ରତ୍ୟେକ ହିତାଧିକାରୀଙ୍କୁ 70 ହଜାର ଟଙ୍କା ଋଣ ଦେବା କହି ଇନସୁରାନ୍ସ ଫି ବାବଦକୁ 2 ହଜାର 70 ଟଙ୍କା ଆଦାୟ କରୁଥିଲେ ।
ଏହିପରି ଭାବରେ 125 ଜଣ ଲୋକଙ୍କଠାରୁ ତିନି ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ନେଇ କୌଣସି ଋଣ ଦେଇନଥିଲେ । ତେବେ ସେମାନେ ମୁଥୁଟ ଫାଇନାନ୍ସର କର୍ମଚାରୀ ନ ଥିବା ପୋଲିସ ତଦନ୍ତରୁ ଜଣାପଡିଛି । ପୂର୍ବରୁ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଫେରାର ଥିବା ଠକ ମ୍ୟାନେଜରଙ୍କୁ ଧରିବା ନେଇ ଗ୍ରାମାଞ୍ଚଳ ଥାନା ପୋଲିସ ଜାଲ ବିଛାଇଥିଲା ଏବଂ ଶେଷରେ ଗୁରୁବାର ମ୍ୟାନେଜରକୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ