ରାଇରଙ୍ଗପୁର: ଜନବସତି ମଧ୍ଯରେ କୋଭିଡ ହସ୍ପିଟାଲ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ । ପ୍ରତିବାଦରେ ଉପଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ସନ୍ନିକଟ ମହୁଲଡିହା, ବାଇଦାପୋଷୀ, ରାଣିପାଳ ଏବଂ ପୁରଣାପାଣି ଗ୍ରାମର ଜନବସତି ଅଞ୍ଚଳ ମଧ୍ଯରେ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କ ମତାମତ ନନେଇ କୋଭିଡ ହସ୍ପିଟାଲ ନିର୍ମାଣ କରାଯାଉଛି । ଯେଉଁଠାରେ କି କେନ୍ଦ୍ରୀୟ ବିଦ୍ଯାଳୟ, ଏଆରଟିଓ କାର୍ଯ୍ୟାଳୟ, ଅଗ୍ନିଶମ ବିଭାଗ ରହିଛି । ତେବେ ଜନବସତି ମଧ୍ଯରେ କୋଭିଡ ହସ୍ପିଟାଲ ନିର୍ମାଣ ହେଲେ କୋଭିଡ ସଂକ୍ରମିତ ରୋଗୀ, ବ୍ଯବହୃତ ଆବଶ୍ଯକୀୟ ରୋଗୀଙ୍କ କୋଭିଡ ପୋଷାକ, ଔଷଧ, ସାମଗ୍ରୀ ଏଠିସେଠି ପଡିବା ଦ୍ବାରା କୋଭିଡ ସଂକ୍ରମଣ ବୃଦ୍ଧିପାଇବ । ଯାହାଦ୍ବାରା ଜନବସତିର ହଜାର ହଜାର ଲୋକେ ସଂକ୍ରମିତ ହେବାର ଆଶଙ୍କା ରହିଛି ।
ଏନେଇ ୪ଟି ଗ୍ରାମର ଶତାଧିକ ଲୋକେ ରାଇରଙ୍ଗପୁରର ପୂର୍ବତନ ବିଧାୟକ ଶ୍ଯାମ ଚରଣ ହାଁସଦାଙ୍କ ନେତୃତ୍ବରେ ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ ଦାସଙ୍କୁ ଲିଖିତ ଅଭିଯୋଗ କରିଥିଲେ । ସେମାନେ କୋଭିଡ ହସପିଟାଲର ନିର୍ମାଣକୁ ସ୍ଵାଗତ କରିବା ସହ କେବଳ ଜନବସତି ବାହାରେ କୋଭିଡ ହସ୍ପିଟାଲ ନିର୍ମାଣ କରାଯାଉ ବୋଲି ଉପଖଣ୍ଡ ପ୍ରଶାସନକୁ ଜଣାଇଛନ୍ତି । ଯଦି ପ୍ରଶାସନ କିଛି ପଦକ୍ଷେପ ନନିଅନ୍ତି ତା'ହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ