ବାରିପଦା: ଏଣିକି ପେନ ଫୋପାଡିଲେ ସୃଷ୍ଟି ହେବ ଗଛ । କାରଣ ପେନ କାଗଜରେ ତିଆରି ହୋଇଥିବା ସହ ଏଥିରେ ବିଭିନ୍ନ ପ୍ରକାରର ଫଳ, ଫୁଲ ଆଉ ଗଛର ମଞ୍ଜି ଦିଆଯାଉଛି । ଏପରି ଏକ ପ୍ରୟାସ କରିଛନ୍ତି ବାରିପଦାର ଲଲାଟେନ୍ଦୁ ପରିଡା ।
ବାରିପଦା ସହର ପାଲବଣି ସ୍ଥିତ ଦେବେନ୍ଦ୍ରପୁର ଅଞ୍ଚଳର ଲଲାଟେନ୍ଦୁ ପରିଡା । ୨୦୧୭ ମସିହାରୁ ଚାକିରୀ ଛାଡି ସ୍ମୃତି ଏଣ୍ଟରପ୍ରାଇଜେସ ନାମରେ ଏକ ସଂସ୍ଥା ଆରମ୍ଭ କରିଛନ୍ତି । ଏହି ସଂସ୍ଥା ମାଧ୍ୟମରେ କାଗଜ, ନ୍ୟୁଜ ପେପରକୁ ସଂଗ୍ରହ କରି ସେଥିରୁ ତିଆରି କରୁଛନ୍ତି ପେନ ଆଉ ପେନସିଲ। ପେନ ଆଉ ପେନସିଲ ତିଆରି ସମୟରେ ଦିଆଯାଉଛି ବିଭିନ୍ନ ପ୍ରକାରର ଫଳ, ଫୁଲ ଆଉ ଗଛର ମଞ୍ଜି। ପେନ ବ୍ୟବହାର ପରେ ଫୋପାଡି ଦେଲେ ଏହା ବତୁରିବା ସହ ଏଥିରୁ ବିଭିନ୍ନ ଗଛ ହେବ ବୋଲି କୁହାଯାଉଛି ।
ଗ୍ଲୋବାଲ ୱାର୍ମିଙ୍ଗ ପାଇଁ ସାରା ବିଶ୍ବ ଚିନ୍ତାରେ ଥିବାବେଳେ ପରିବେଶ ସନ୍ତୁଳନ ରକ୍ଷା କରିବା ଓ ପ୍ରଦୂଷଣ ରୋକିବା ପାଇଁ ସେ ଏପରି କିଛି କରିଛନ୍ତି । ଏହି ଏଣ୍ଟରପ୍ରାଇଜେସରେ ଏପରି କାମ କରି ଅନେକ ଯୁବକ ଯୁବତୀ ସ୍ବାବଲମ୍ବୀ ହୋଇପାରିଛନ୍ତି ।
ପେନ ଆଉ ପେନସିଲ ତିଆରି ପରେ ସ୍କୁଲ ଓ କଲେଜକୁ ଯାଇ ବିକ୍ରି କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ପରିବେଶ ସନ୍ତୁଳନ ବିଷୟରେ ଅବଗତ ମଧ୍ୟ କରୁଛନ୍ତି। ଲଲାଟେନ୍ଦୁଙ୍କ ଏପରି ପ୍ରୟାସ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା ସାଉଁଟୁଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ