ରାଇରଙ୍ଗପୁର: ବୋନସ ନ ମିଳିବା, ଛୁଟି ଟଙ୍କା କାଟିବା ଘଟଣାରେ ଶ୍ରମିକଙ୍କ ପ୍ରତିବାଦ । ଲୌହଖଣି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଗୋରୁ ମହିଷାଣୀ ମାଇନ୍ସ ମଜଦୁର ସଂଘ । ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଲୁହାପଥର ଖଣିରେ ଶ୍ରମିକଙ୍କ ଛୁଟି ଟଙ୍କା କାଟି ଦିଆଯାଉଛି, ଦୁର୍ଗା ପୂଜା ବୋନସ ମିଳୁନାହିଁ ଏପରିକି ପ୍ଲଟରେ ବିଶ୍ରାମଗାର ବନ୍ଦୋବସ୍ତ ନଥିବାରୁ ପ୍ରତିବାଦ କରି ଧାରଣା ଦେଇଛନ୍ତି ।
ମହିଷାଣୀ ମାଇନ୍ସ ମଜଦୁର ସଂଘର କାର୍ଯ୍ୟକାରୀ ସଭାପତି ସୁରେଶ ସୋରେନ୍ ଓ ମୟୂରଭଞ୍ଜ ମାଇନ୍ସ ଲେବର ୟୁନିଅନର କାର୍ଯ୍ୟକାରୀ ସଭାପତି ନିନା ଦାସଙ୍କ ସମେତ ଶତାଧିକ ଶ୍ରମିକ ଲୌହ ଖଣି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଛନ୍ତି ।
ସେପଟେ ଯେଉଁଭଳି ଖଣି ଖୋଳା ଯିବା କଥା ସେପରି ଖୋଳା ଯାଉନଥିବା ମଧ୍ୟ ଅଭିଯୋଗ ହୋଇଛି । ଫଳରେ ବିଭିନ୍ନ ସ୍ଥାନରେ ପାଣି ଜମି ଯିବାରୁ କମ୍ପାନୀ ପର୍ଯ୍ୟାପ୍ତ ପରିମାଣର ଲୁହାପଥର ଶ୍ରମିକଙ୍କୁ ଯୋଗାଇ ପାରୁନାହିଁ । ଫଳରେ ଶତାଧିକ ଶ୍ରମିକ କାମ କରିବାକୁ ଆସି ଫେରି ଯାଉଛନ୍ତି ।
ଅନ୍ୟପଟେ ଦୀର୍ଘ ୧୦୭ ବର୍ଷରୁ ଅଧିକ ହେବ ଚାଲିଆସୁଥିବା ଲୌହ ଖଣିର ମାଲିକମାନେ ମାଲାମାଲ ହେଉଛନ୍ତି । ହେଲେ ଶ୍ରମିକଙ୍କ ଅବସ୍ଥା ଶୋଚନୀୟ ହେବାରେ ଲାଗିଛି । ଯଦି କମ୍ପାନୀ ଶ୍ରମିକମାନଙ୍କ ଦାବି ପୂରଣ ନକରନ୍ତି, ତେବେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଶ୍ରମିକମାନେ ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ