ବାରିପଦା: ଭିଜିଲାନ୍ସ ଜାଲରେ ଗୋଟିଏ ପରେ ଗୋଟିଏ ସରକାରୀ ବାବୁ । ଗତକାଲି ଦୁଇ ଜଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିବାବେଳେ ଆଜି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଚଢାଉ କରିଛି ଭିଜିଲାନ୍ସ । କପ୍ତିପଦା ବିଦ୍ୟୁତ କାର୍ଯ୍ୟାଳୟରେ ଏକ ଭଡା ଗାଡି ଲାଗିଥିବାବେଳେ ଗାଡି ମାଲିକ ଶିଶିର କୁମାର ନାୟକଙ୍କ ଠାରୁ ବକେୟା ଥିବା ବିଲ କରାଇଦେବା ପାଇଁ 1300 ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ ଅଶ୍ବିନୀ କୁମାର ଦାସ ।
ବାଲେଶ୍ଵର ଭିଜିଲାନ୍ସ ଟିମ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଗାଡି ମାଲିକ ବାରମ୍ବାର କନିଷ୍ଠ ଯନ୍ତ୍ରୀଙ୍କୁ ବକେୟା ବିଲ କରାଇଦେବା ପାଇଁ କହୁଥିବାବେଳେ, ଟଙ୍କା ନଦେଲେ ବିଲ ହେବ ନାହିଁ ବୋଲି କହିଥିଲେ କନିଷ୍ଠ ଯନ୍ତ୍ରୀ । ଫଳରେ ଗାଡି ମାଲିକ ଜଣକ ବାଲେଶ୍ବର ଭିଜିଲାନ୍ସ ଟିମର ସହାୟତା ଲୋଡିଥିଲେ ।
ଆଜି(ଶୁକ୍ରବାର) ବାଲେଶ୍ବର ଭିଜିଲାନ୍ସ ଟିମ କପ୍ତିପଦା ଡିଭିଜନ ରଥିପୁର ନେସ୍କୋ କାର୍ଯ୍ୟାଳୟରେ 1300 ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଭିଜିଲାନ୍ସ ଟିମ ଟଙ୍କା ଜବତ କରିବା ସହ କନିଷ୍ଠ ଯନ୍ତ୍ରୀଙ୍କ ଅଫିସ ଓ ବାସଭବନରେ ଚଢ଼ାଉ ଜାରି ରଖିଛି।
ତେବେ ଗତକାଲି ମଧ୍ୟ ରାଜ୍ୟରେ ଦୁଇ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ଧରାପଡିଥିଲେ । ଯାଜପୁର ଜିଲ୍ଲା ଧର୍ମଶାଳା ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ ରତ୍ନାକର ମହାନ୍ତିଙ୍କ ଘରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଥିଲା ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ