ରାଇରଙ୍ଗପୁର: ଅବସରପ୍ରାପ୍ତ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ଅନ୍ତର୍ଗତ ତାଳଗାଁ ଗ୍ରାମରେ ।
ସୂଚନା ଅନୁଯାୟୀ, ତାଳଗାଁ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଗୋପାଳ ଚନ୍ଦ୍ର ମୁଣ୍ଡାରୀ ନିଜ ଘରେ ଏକ ରସି ସାହାଯ୍ୟରେ ଝୁଲୁଥିବା ଦେଖିଥିଲେ କିଛି ସ୍ଥାନୀୟ ଲୋକେ । ଏ ସମ୍ପର୍କରେ ଯାମଦା ଥାନା ପୋଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିବା ସହିତ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଡକାଇଥିଲେ ।
ସେପଟେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତଦେହକୁ ଉଦ୍ଧାର କରି ମୃତଦେହ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ ଯାମଦା ଥାନା ପୋଲିସ । ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ