ରାଇରଙ୍ଗପୁର: ଆଜି ଜଗତଜନନୀ ମାଆ ଦୁର୍ଗାଙ୍କ ମହାସପ୍ତମୀ ପୂଜା । ସକାଳୁ ଖଡଖାଇ ନଦୀରୁ ଘଟ ଉତ୍ତୋଳନ କରାଯାଇ ସହରର ବିଭିନ୍ନ ପୂଜା ମଣ୍ଡପରେ ମହାସପ୍ତମୀ ପୂଜା ଆରମ୍ଭ ହୋଇଯାଇଛି । ଘଟ ଉତ୍ତୋଳନ ପରେ ମାଆଙ୍କର ପୂଜା ଆରମ୍ଭ ହେବା ସହିତ ଚକ୍ଷୁଦାନ, ପ୍ରାଣ ପ୍ରତିଷ୍ଠା, ହୋମ, ପୁଷ୍ପାଞ୍ଜଳି ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା ।
ଦ୍ବିପହର ସମୟରେ ମାଆଙ୍କୁ ଅନ୍ନଭୋଗ ଅର୍ପଣ କରାଯାଇ ଶହ ଶହ ଶ୍ରଦ୍ଧାଳୁ ମାନଙ୍କୁ ଅନ୍ନଭୋଗ ବଣ୍ଟନ କରାଯାଇଥିଲା। ସନ୍ଧ୍ୟା ସମୟରେ ମାଆଙ୍କ ଆରତୀ ମଧ୍ୟ ସମ୍ପନ୍ନ ହୋଇଯାଇଛି। ଢୋଲ, ଶଙ୍ଖ, ଘଣ୍ଟ ଘଣ୍ଟା ଶବ୍ଦରେ କମ୍ପି ଉଠୁଛି ମାତା ଙ୍କ ପୀଠ। ତା ସହିତ ମଣ୍ଡପ ରେ ମହାସପ୍ତମୀ ପୂଜା ଅବସରରେ ମନ୍ତ୍ର ଧ୍ବନି ରେ ଚଉଦିଗ ପ୍ରକମ୍ପିତ ହୋଇଉଠୁଛି। ମା ଙ୍କ ମହାସପ୍ତମୀ ପୂଜା ତଥା ଦର୍ଶନ କରିବା ପାଇଁ ରାଇରଙ୍ଗପୁର ସହର ତଥା ଆଖପାଖ ଅଞ୍ଚଳ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି।
ଏ ନେଇ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ବେଶ ଉତ୍ସାହିତ ଥିବା ଦେଖାଦେଇଛି। ସହରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇ ଥିବାରୁ ଲୋକେ ବେଶ୍ ଉପଭୋଗ କରୁଥିବା ଦେଖିବାକୁ ମିଳିଛି। ସେପଟେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରଶାସନ ତରଫରୁ ବ୍ୟାପକ କଡାକଡି ବନ୍ଦୋବସ୍ତ କରାଯାଇଛି।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା,ଇଟିଭି ଭାରତ