ରାଇରଙ୍ଗପୁର: କରଞ୍ଜିଆ ପୋଲିସକୁ ବଡ ସଫଳତା । ଜମିରେ ମୋବାଇଲ ଟାୱାର କରାଇଦେବା ନାଁରେ ଠକୁଥିବା ଚାରି ଠକଙ୍କୁ ଗିରଫ କରିଛି କରଞ୍ଜିଆ ପୋଲିସ । ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଏବଂ ଯଶୀପୁର ଅଞ୍ଚଳର ୪ ଜଣ ବ୍ୟକ୍ତି କିଛି ଦିନ ହେବ ବିଭିନ୍ନ ଅଞ୍ଚଳରୁ ମୋବାଇଲ ଟାୱାର ବସାଇବା କହି ଲୋକଙ୍କୁ ଠକୁଥିଲେ । ତେବେ ବାଦାମପାହାଡ ଥାନା ଅନ୍ତର୍ଗତ ଝିପାବନ୍ଧ ଅଞ୍ଚଳର ବୀରେନ୍ଦ୍ର ପିଙ୍ଗୁଆ ନାମକ ଜଣେ ସେନା କର୍ମଚାରୀଙ୍କୁ ନିଜ ଜମିରେ ମୋବାଇଲ ଟାୱାର କରିଦେବା ପାଇଁ ନିଜ ଜାଲରେ ଛନ୍ଦି ଥିଲେ ଏହି ଠକ ଦଳ ।
ଘଟଣା ମୁତାବକ ପ୍ରଥମେ ବୀରେନ୍ଦ୍ରଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଟାୱାର ସଂପର୍କରେ ବୁଝାଇଥିଲେ । ଏହାସହ କାଗଜ ପତ୍ର ପାଇଁ ପ୍ରଥମେ ୧୨୫୦୦ ଟଙ୍କା ନେଇଥିଲେ । ପରେ ସମସ୍ତ କାଗଜପତ୍ରର ନକଲ ନେଇ କହିଥିଲେ ଆଉ 10ହଜାର ଟଙ୍କା ଦେଲେ ଅଗ୍ରୀମ ଅଢେଇ ଲକ୍ଷ ଟଙ୍କା ମିଳିବ । ଏଥିରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ସନ୍ଦେହ ହୋଇଥିଲା । ଟଙ୍କା ଦେବାକୁ ରାଜି ହୋଇ କରଞ୍ଜିଆ ଥାନା ଅଧିକାରୀଙ୍କ ସହିତ ସେ ଯୋଗାଯୋଗ କରିଥିଲେ । ଯୋଜନା ମୁତାବକ ଆଜି ଟଙ୍କା ନେବା ପାଇଁ କରଞ୍ଜିଆ ୨ ନମ୍ବର ୱାର୍ଡ କରଡିଆ ବାଇପାସ ରାସ୍ତା ନିକଟକୁ ଆସିଥିଲେ । ଏହି ସମୟରେ କରଞ୍ଜିଆ ପୋଲିସ ଚଢାଉ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଏକ ଟଙ୍କା ଭର୍ତ୍ତି କହୁଥିବା ବାକ୍ସକୁ ଜବତ କରିଛି ।
ପୋଲିସ ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଅଲେଖ ଚନ୍ଦ୍ର ପଲେଇ, ସେକ ସୁରାଜୁଲ , ସେକ କାଲୁମୁଦ୍ଦିନ ଏବଂ ଶାନ୍ତିଲତା ଦାସ ନାମକ ଜଣେ ମହିଳାଙ୍କୁ ଗିରଫ କରିଛି । ସେହିପରି ଜବତ ହୋଇଥିବା ବାକ୍ସରୁ କିଛି ୨ହଜାର ୫ଶହ ଓ ୨ଶହ ଟଙ୍କିଆ କଲର ଜେରକ୍ସ ହୋଇଥିବା ଟଙ୍କା ଏବଂ କିଛି ଅସଲି ଟଙ୍କା ବାହାରିଥିଲା । ପୋଲିସ ଏକ ମାମାଲ ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ