ବାରିପଦା: ବାତ୍ୟା ୟସ ଦ୍ବାରା ଖୁବ୍ ପ୍ରଭାବିତ ହୋଇଛି ମୟୂରଭଞ୍ଜ ଜିଲ୍ଲା । ଲଗାଣ ବର୍ଷା ସାଙ୍ଗକୁ ପବନ ଜିଲ୍ଲାର ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିଛନ୍ତି । ସେଠାରେ ମନ୍ତ୍ରୀ ବାତ୍ୟା ଜନିତ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ।
ଯୋଗାଣ ମନ୍ତ୍ରୀ ଶୁକ୍ରବାର ଦିନ 11ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସମୀକ୍ଷା ବୈଠକ କରିଛନ୍ତି । ବର୍ତ୍ତମାନ ଜିଲ୍ଲାରେ ବନ୍ୟା ସ୍ଥିତି ନାହିଁ । ବିଦ୍ୟୁତ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରି ଜିଲ୍ଲାରେ ବାତ୍ୟା ଯୋଗୁଁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିବା 75 ପ୍ରତିଶତ ସ୍ଥାନକୁ ବିଦ୍ୟୁତ ଯୋଗାଇ ଦେଇଛନ୍ତି ଏବଂ ଆଉ 25 ପ୍ରତିଶତ ସ୍ଥାନରେ 24 ରୁ 48 ଘଣ୍ଟା ମଧ୍ୟରେ ବିଦ୍ୟୁତ ସଂଯୋଗ ସ୍ବାଭାବିକ କରାଯିବ ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ କହିଛନ୍ତି ।
ଜିଲ୍ଲାର ୨୬ ବ୍ଲକ ମଧ୍ୟରୁ କୁସୁମି ଏବଂ ବିଶୋଇ ବ୍ଲକରେ ଅଧିକ କ୍ଷୟକ୍ଷତି ହୋଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ । ଶିମିଳିପାଳ ଅଭୟାରଣ୍ୟରେ ହୋଇଥିବା ବାଦଲ ଫଟା ବର୍ଷାରେ କେହି ମୃତାହତ ହୋଇ ନ ଥିବାବେଳେ ଅଭୟାରଣ୍ୟରେ ସ୍ବତନ୍ତ୍ର ଟିମ ଗଠନ କରାଯାଇ ରାସ୍ତାଘାଟର ମରାମତି ଆରମ୍ଭ ହୋଇଛି । ତେବେ ଜିଲ୍ଲାରେ ସୁବର୍ଣ୍ଣରେଖା ଜଳସ୍ତର କମୁଥିବାବେଳେ ଆଜି(ଶୁକ୍ରବାର) ସନ୍ଧ୍ୟା ସୁଦ୍ଧା ବାଲେଶ୍ଵରରେ ଜଳସ୍ତର ବଢିବା ଆଶଙ୍କା ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ସମୀକ୍ଷା ବୈଠକରେ ମନ୍ତ୍ରୀଙ୍କ ସହ ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ବାଜ, ଏସପି ପରାମର ସ୍ମିଥ ପୁରୁଷୋତ୍ତମ ଦାସଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ