ରାଇରଙ୍ଗପୁର: ସଙ୍କଟରେ ଶିମିଳିପାଳ । ଶିମିଳିପାଳ ଅଭୟାରଣ୍ୟରେ ଭୟଙ୍କର ନିଆଁ ଲାଗିଛି । 3 ଦିନ ହେବ ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ ଜଙ୍ଗଲ । ଜଙ୍ଗଲରେ ନିଆଁ ଲାଗିବା କାରଣରୁ ବନ୍ୟଜନ୍ତୁଙ୍କ ଜୀବନ ବିପଦରେ ପଡିଛି । ନିଆଁ ଲାଗିବା କାରଣରୁ ବହୁ ଔଷଧୀୟ ବୃକ୍ଷ ପୋଡି ଜଳି ପାଉଁଶ ହୋଇଛି।
ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ଶିମିଳିପାଳ ଅଭୟାରଣ୍ୟରେ ଭୟଙ୍କର ନିଆଁ ଲାଗିଛି । ହୁତୁହୁତୁ ହୋଇ ଶିମିଳିପାଳ ଅଭୟାରଣ୍ୟ ଜଳିବାକୁ ଲାଗିଛି । ଦୀର୍ଘ ସମୟ ଧରି ଶିମିଳିପାଳ ଅଭୟାରଣ୍ୟର ଗୋଟିଏ ରେଞ୍ଜରେ ନିଆଁ ଲାଗିଛି । ନିଆଁ ପୁରା ଜଙ୍ଗଲକୁ ବ୍ୟାପିବାରେ ଲାଗିଛି ତେବେ ରାତିରେ ଶିମିଳିପାଳ ଅଭୟାରଣ୍ୟ ଜଳିବାର ପ୍ରକୃତ ଚିତ୍ର ସାମ୍ନାକୁ ଆସିଛି ।
ଯାହା ସୂଚନା ମିଳିଛି ଶିମିଳିପାଳ ଅଭୟାରଣ୍ୟର ପୋଡାଡିହା ରେଞ୍ଜ ଅଧିନ ଅନନ୍ତପୁର ବିଟ୍ ଅଞ୍ଚଳ ଜଙ୍ଗଲ ଜଳିବାରେ ଲାଗିଛି । ଅନନ୍ତପୁର ବିଟ୍ ଅଧିନସ୍ଥ ଉପର ବାରଡାଙ୍ଗୁଆ, ସାରବସା, ଭୁଣ୍ଡାସାହି, ମାଣିକପୁର, ପଥରଖଣି, ଖଣ୍ଡାଚିରା, ଅନନ୍ତପୁର ଆଦି ଅଞ୍ଚଳରେ ବ୍ୟାପକ ଭାବେ ନିଆଁ ଲାଗିଛି । ଏହି ଅଞ୍ଚଳରେ ଥିବା ଜଙ୍ଗଲରେ ନିଆଁ ଲାଗି ସାରିଥିବା ବେଳେ ଶୁଖିଲା ଗଛ, ଡାଳ, ପତ୍ର ଗୁଡିକ ହୁହୁ ହୋଇ ଜଳୁଛି ।
ପାଖାପାଖି ଦୁଇ କିଲୋମିଟରରୁ ଅଧିକ ଅଞ୍ଚଳରେ ନିଆଁ ଲାଗିଥିବା ବେଳେ ଏହା କ୍ଷୀପ୍ର ବେଗରେ ବ୍ୟାପିବାରେ ଲାଗିଛି । ଗୋଟିଏ ଦିନ ପୂର୍ବରୁ ମାଣିକପୁର ଅଞ୍ଚଳରେ ନିଆଁ ଲାଗିଥିବା ବେଳେ ଉକ୍ତ ନିଆଁ ଆୟତ ହୋଇ ନଥିବାରୁ ତାହା ଅନନ୍ତପୁର ବିଟ୍ ଅଞ୍ଚଳକୁ ବ୍ୟାପିଛି ।
ନିଆଁ ଏତେ କ୍ଷୀପ୍ର ଗତିରେ ବ୍ୟାପୁଛି ଯେ କମ୍ ସମୟ ମଧ୍ୟରେ ଅନନ୍ତପୁର ବିଟ୍ ଅଞ୍ଚଳରେ ବହୁ ବଡ ବଡ ଗଛ, ଔଷଧୀୟ ବୃକ୍ଷ ପାଉଁଶ ହୋଇଯାଉଛି । ସେପଟେ ଗତ ୧୩ ତାରିଖ ଉତ୍ତର ଶିମିଳିପାଳ ଡିଭିଜନ ଅନ୍ତର୍ଗତ ଗୁଡୁଗୁଡିଆ ରେଞ୍ଜ ଅଧିନସ୍ଥ ଦୁଇଟି ବିଟରେ ନିଆଁ ଲାଗିଥିବା ସାଟେଲାଇଟ ରିପୋର୍ଟ ଅନୁଯାୟୀ ଏହା ଜଣା ପଡିଥିଲା।
ନିଆଁ ଲାଗିବା ଯୋଗୁଁ ବଡ଼ ବଡ଼ ଗଛ, ଔଷଧୀୟ ଗଛ ସବୁ ନଷ୍ଟ ହୋଇଥିବା ବେଳେ ନିଆଁ ଯୋଗୁଁ ବନ୍ୟଜନ୍ତୁ ଗାଁ ମୁହାଁ ହେଉଛନ୍ତି । ଜଣେ ବନ ବିଭାଗ କର୍ମଚାରୀଙ୍କ କହିବାନୁସାରେ, ଶିମିଳିପାଳର ଉପର ମୁଣ୍ଡରେ ନିଆଁ ଲାଗିଛି ଯାହାକି କୋର ଏରିଆକୁ ମାଡିଛି ଏବଂ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଉଛି । ବଫର ଏରିଆ ଛାଡି କୋର ଏରିଆ ନିଆଁ ମାଡିଥିବା ବେଳେ ଶିମିଳିପାଳ ଏବେ ସଙ୍କଟରେ ରହିଥିବା ଜଣାପଡିଛି । ବନ ବିଭାଗ ଟିମ ନିଆଁ ଲିଭାଉଥିବା ଜଣେ ବନ କର୍ମଚାରୀ ସୂଚନା ଦେଇଛନ୍ତି ।
ଶିମିଳିପାଳରେ ନିଆଁ ଲାଗିବା ପ୍ରଥମ ନୁହେଁ ପ୍ରତିବର୍ଷ ପ୍ରାୟ ଜଙ୍ଗଲରେ ନିଆଁ ଲାଗୁଛି । 2021ରେ 7 ଦିନ ହେବ ଶିମିଳିପାଳ ଜଙ୍ଗଲ ଜଳିଥିଲା । 10 ଏକରରୁ ଊର୍ଦ୍ଧ୍ବ ଜଙ୍ଗଲରେ ନିଆଁ ଲାଗି ଗଛ ନଷ୍ଟ ହୋଇଥିଲା ।
ଇଟିିଭି ଭାରତ, ରାଇରଙ୍ଗପୁର