ବାରିପଦା: ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା ‘ୟସ’ । ଆଜି ବାତ୍ୟା ୟସ ଲ୍ୟାଣ୍ଡଫଲ କରିବାକୁ ଥିବାବେଳେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲ୍ଲାର ମୋଟ ୨୬ଟି ବ୍ଲକ 2ଟି ମ୍ୟୁନିସପାଲିଟି ଏବଂ 2ଟି ଏନଏସିରେ ମୋଟ ୪୪୫ ଟି ସ୍ଥାୟୀ ଓ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀରେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ମୋଟ ୨,୦୧୫୭ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି ।
ତେବେ ମହାମାରୀ କରୋନା ସମୟରେ ବାତ୍ୟା ଆଶ୍ରୟସ୍ଥଳୀରେ ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାସ୍କ, ସାନିଟାଇଜର ବଣ୍ଟନ କରାଯିବା ସହ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ । ସମସ୍ତଙ୍କୁ ଡବଲ ମାସ୍କ ପିନ୍ଧିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ଅନ୍ୟପକ୍ଷରେ ବାତ୍ୟାର ଲ୍ୟାଣ୍ଡଫଲ ସମୟରେ କେହି ବାହାରକୁ ନ ବାହାରିବା ପାଇଁ ମଧ୍ୟ ଜିଲ୍ଲାପାଳ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଛି । କଚା ଘରେ ରହୁଥିବା ଲୋକେ ତୁରନ୍ତ ବାତ୍ୟା ଆଶ୍ରୟସ୍ଥଳୀରେ ଆସି ଆଶ୍ରୟ ନିଅନ୍ତୁ ବୋଲି ମଧ୍ୟ ଜିଲ୍ଲାପାଳ ନିବେଦନ କରିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ