ରାଇରଙ୍ଗପୁର: ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ପୈତୃକ ଗାଁ ପାଖ ଡୁଙ୍ଗୁରିସାହିରେ ପହଞ୍ଚିଲା ବିଜୁଳି ସେବା । ଦୀର୍ଘ ଦିନ ହେବ ବିଜୁଳି ସେବାରୁ ଦୂରରେ ରହୁଥିବା ଏହି ଗାଁ ଏବେ ଆଲୋକିତ ହୋଇଛି । ତେବେ ଯୁଦ୍ଧକାଳୀନ ଭିତ୍ତିରେ ଡୁଙ୍ଗୁରିସାହିକୁ ବିଦ୍ୟୁତ ବିଭାଗ ପକ୍ଷରୁ ବିଜୁଳି ସଂଯୋଗ କରାଯାଇଛି । ସୋମବାର ସେହି ସାହିରେ ଥିବା କିଛି ଘର ଗୁଡ଼ିକରେ ବିଜୁଳି ସଂଯୋଗ ଯୋଗୁଁ ଆଲୋକିତ ହୋଇପାରିଛି ।
ଏବେ ସେଠାରେ ବସବାସ କରୁଥିବା ଛାତ୍ରଛାତ୍ରୀମାନେ ରାତିରେ ଆଲୁଅରେ ପାଠ ପଢିପାରିବେ । ଏ ନେଇ ସେଠାକାର ବାସିନ୍ଦା ମାନେ ବେଶ୍ ଖୁସି ଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଉପରବେଡା ଗ୍ରାମ ଠାରୁ ପ୍ରାୟ ଗୋଟିଏରୁ ଦେଢ଼ କିଲୋମିଟର ଦୂରରେ ରହିଛି ଡୁଙ୍ଗୁରିସାହି । ସେହି ସାହିରେ ୧୦/୧୨ ଘର ଥିବାବେଳେ ସେଠାରେ ବିଜୁଳି ସଂଯୋଗ ନଥିଲା ।
ତେବେ ଦ୍ରୌପଦୀ ମୁର୍ମୁଙ୍କ ଉପରବେଡା ଗାଁ ସ୍ଥିତ ତାଙ୍କ ସାହି ତଥା ଅନ୍ୟାନ୍ୟ ସାହିରେ ବିଜୁଳି ସଂଯୋଗ ପୂର୍ବରୁ ରହିଛି । କିନ୍ତୁ ନିକଟ ଡୁଙ୍ଗୁରିସାହିରେ ବସବାସ କରୁଥିବା ଏହି କେତୋଟି ପରିବାର ଅନ୍ଧାରରେ ରହୁଥିଲେ । ଏବେ ସେହି ସାହିରେ ବିଦ୍ୟୁତ ସଂଯୋଗ ପରେ ଆଲୋକିତ ହୋଇଛି ।