ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାଟବାଦଡା ସାପ୍ତାହିକ ହାଟରେ ଗୁଳିମାଡ଼ ଘଟଣାକୁ ଗୁରୁତର ସହ ନେଇ ଘଟଣା ସ୍ଥଳରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ପହଞ୍ଚିଛନ୍ତି । ଆଜି(ବୁଧବାର) ସକାଳୁ ଜଣେ ଗୋ-ବେପାରୀଙ୍କ ଠାରୁ ନଗଦ ୨୦ ଲକ୍ଷ ଟଙ୍କା ଲୁଟି ନେଇ ଉକ୍ତ ବେପାରୀଙ୍କୁ ଗୁଳିମାଡ଼ କରି ଦୁଇଟି ବାଇକରେ ଚାରିଜଣ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ । ଗୁଳିକାଣ୍ଡର ଖବର ପାଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ, ରାଇରଙ୍ଗପୁର ଏସଡିପିଓ, ରାଇରଙ୍ଗପୁର ଏଏସପି ଓ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଥିଲେ। ଘଟଣା ସ୍ଥଳରୁ ୬ଟି ଖୋକା(ଫୁଟା ଗୁଳି) ଜବତ କରାଯାଇଥିବା ବେଳେ ମୃତ ଜାମସୁଦଙ୍କ ଦେହରେ ୬ଟି ଗୁଳି ଓ ଏକ ମଇଁଷି ଦେହରେ ଗୋଟିଏ ଗୁଳି ବାଜିଥିବା ସୂଚନା ରହିଛି ।
ତେବେ ଗତ ଶନିବାର ଦିନ ଜଶିପୁର ଠାରେ ମଧ୍ୟ ଗୋ ମାଫିଆଙ୍କ ଦ୍ଵାରା ଗୁଳିମାଡ଼ରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ମାତ୍ର କେତେଦିନ ବ୍ୟବଧାନରେ ରାଇରଙ୍ଗପୁର ହାଟବାଦଡାରେ ମଧ୍ୟ ଜଣେ ଗୋ ବେପାରୀଙ୍କୁ ଗୁଳିମାଡ଼ ହୋଇଛି । ଫଳରେ ଗୋ ବେପାରୀ ଜଣକ ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ । ତେବେ ଉକ୍ତ ଘଟଣା ପରେ ପୋଲିସ ପ୍ରଶାସନ ମଧ୍ୟରେ ଚଞ୍ଚକତା ଦେଖାଦେଇଛି ।
ଘଟଣା ସମ୍ପର୍କରେ ଖବର ପାଇ ମୟୂରଭଞ୍ଜ ଏସପି ରିଶିକେଶ ଖିଲାରୀ ଧ୍ୟାନଦେଓ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିର ତନାଘନା କରିଥିଲେ । ସେପଟେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ମଧ୍ୟ ଘଟଣା ସମ୍ପର୍କରେ ଅବଗତ ହେବା ପରେ ହାଟବାଦଡା ସାପ୍ତାହିକ ହାଟକୁ ଆସି ସ୍ଥିତି ଅନୁଧ୍ୟାନ କରିବା ସହ ରାଇରଙ୍ଗପୁର ଏଏସପି ଓ ରାଇରଙ୍ଗପୁର ଏସଡିପିଓଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି । ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ମୟୂରଭଞ୍ଜ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୪ଟି ଟିମ୍ ଦୁର୍ବୃତ୍ତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ଅଞ୍ଚଳରେ ଛାନଭିନ ଚଳାଇଛନ୍ତି । ତେବେ ଯଥାଶୀଘ୍ର ଫେରାର ଦୁର୍ବୃତ୍ତ ମାନେ ପୋଲିସ ହାତରେ ଧରାପଡିବେ ବୋଲି ପୂର୍ବାଞ୍ଚଳ ଆଇଜି ପ୍ରକାଶ କରିଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ