ବାରିପଦା: ଚଳିତ ବର୍ଷ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣାରେ ଦୁର୍ଗାପୂଜା ଶେଷ ହୋଇଥିଲା । ତେବେ ଭଷାଣି ଉତ୍ସବ ମଧ୍ୟ କଟକଣା ମଧ୍ୟରେ କରାଯାଉଛି । କୋରୋନା ନିୟମକୁ ପାଳନ କରାଯାଇ ଅଳ୍ପ ସଂଖ୍ୟକ ଲୋକ ଏହି ଉତ୍ସବରେ ସାମିଲ ହୋଇଥିବା ସୂଚନା ମିଳିଛି ।
କୋରୋନା ମହାମାରୀ ପାଇଁ ଚଳିତ ବର୍ଷ ଆଲୋକମାଳାର ସାଜସଜ୍ଜା, ଭକ୍ତଙ୍କ ସମାଗମ, ବାଦ୍ୟଯନ୍ତ୍ର ବିନା ଦଶହରା ପୂଜା ଫିକା ପଡିଯାଇଥିଲା । ରାଜ୍ୟ ସମେତ ଜିଲ୍ଲାରେ ମଧ୍ୟ କୋରୋନା କଟକଣାରେ ଶାରଦୀୟ ଦୁର୍ଗାପୂଜା ସମ୍ପନ୍ନ କରାଯାଇଥିଲା । ତେବେ ସୋମବାର ଓ ମଙ୍ଗଳବାରଠାରୁ ଜିଲ୍ଲାରେ ଦେବୀ ମା' ଦୁର୍ଗାଙ୍କ ଭଷାଣି ଉତ୍ସବ ଆରମ୍ଭ ହୋଇଛି । ଜିଲ୍ଲା ରାଇରଙ୍ଗପୁର, କରଞ୍ଜିଆ, ଉଦଳା ଉପଖଣ୍ଡ ଓ ବାରିପଦା ସହରରେ ମା' ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ହୋଇଛି ।
ତେବେ ଭଷାଣି ଉତ୍ସବରେ ସଂକ୍ରମଣକୁ ରୋକିବା ପାଇଁ ଲୋକମାନଙ୍କ ସମାଗମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା । ଏଣୁ ଭଷାଣି ଉତ୍ସବରେ ଖୁବ୍ କମ୍ ସଂଖ୍ୟକ ଲୋକ ସାମିଲ ହୋଇଥିଲେ । ମଙ୍ଗଳବାର ରାତି ସୁଦ୍ଧା ସମସ୍ତ ମଣ୍ଡପରେ ମୂର୍ତ୍ତ ବିସର୍ଜନ କରାଯିବ ବୋଲି ସୂଚନା ମିଳିଛି । ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ବାରିପଦା ସହରରେ 26ଟି ପୂଜା ମଣ୍ଡପରେ ମା'ଙ୍କ ପୂଜା କରାଯାଇଥିଲା । ସମସ୍ତ ମଣ୍ଡପରେ ମା'ଙ୍କ ମୂର୍ତ୍ତି ବିସର୍ଜନ ଅସ୍ଥାୟୀ ପୁଷ୍କରିଣୀରେ କରାଯିବା ନେଇ ସୂଚନା ମିଳିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ