ରାଇରଙ୍ଗପୁର: ଲୁପୁଙ୍ଗ ଗ୍ରାମର ନବବିବାହିତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣାର ପର୍ଦ୍ଦାଫାଶ । ହତ୍ୟାକାଣ୍ଡରେ ସମ୍ପୃକ୍ତ ସ୍ବାମୀ ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଲୁପୁଙ୍ଗ ଗ୍ରାମର ନବ ବିବାହିତାଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ମିଳିବା ପରେ ପୋଲିସ ପ୍ରକୃତ ଅପରାଧିକୁ ଖୋଜୁଥିଲା । ମୃତ ମହିଳାଙ୍କୁ ସ୍ବାମୀ ଏବଂ ପ୍ରଥମ ସ୍ତ୍ରୀ ମିଶି ହତ୍ୟା କରିଥିବା ପ୍ରମାଣିତ ହେବା ପରେ ଉଭୟଙ୍କୁ ଗିରଫ କଲା ପୋଲିସ ।
ମୃତ ମହିଳାଙ୍କ ହତ୍ୟାକାରୀ ସ୍ବାମୀ ଦାସମାତ ଟୁଡୁ (୨୩) ଓ ପ୍ରଥମ ସ୍ତ୍ରୀ ବିଜ ଟୁଡୁ (୨୧) ଙ୍କୁ ତିରିଂ ଥାନା ପୋଲିସ୍ କୋର୍ଟ ଚାଲାଣ କରିଛି । ହତ୍ୟାକାଣ୍ଡ ଘଟାଇଥିବା ସ୍ବାମୀ ଓ ସ୍ତ୍ରୀଙ୍କ ବୟାନ ଅନୁସାରେ ଭୋଳାଗାଡିଆ ଗ୍ରାମର ଯୁବତୀ ମୀନୁ ମାର୍ଣ୍ଡିଙ୍କୁ ପ୍ରେମ ବିବାହ କରିବା ଉଦ୍ଦେଶ୍ୟରେ ଘରୁ ଲୁଚି ପଳାଇ ଝାଡଖଣ୍ଡ ଅଞ୍ଚଳର ପିଲକା ଗ୍ରାମରେ ଥିବା ମାମୁଁ ଘରେ କିଛିଦିନ ରହିଥିଲା ଦାସମାତ । ପରେ ମୀନୁଙ୍କୁ ନିଜ ଗ୍ରାମ ଲୁପୁଙ୍ଗକୁ ନେଇ ଆସିଥିଲା ଦାସମାତ । ହେଲେ ଗାଁରେ ପହଞ୍ଚି ନିଜ ଘରକୁ ନଯାଇ ୨୮ ତାରିଖରୁ ୦୧ ତାରିଖ ପର୍ଯ୍ୟନ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ଗୃହରେ ଉଭୟ ରହିଥିଲେ ।
ଏହାପରେ ୦୧ ତାରିଖ ଦିନ ଦାସମାତ ଦ୍ବିତୀୟ ସ୍ତ୍ରୀ ମୀନୁକୁ ନିଜ ଘରକୁ ନେଇଥିଲା । ସେଠାରେ ଉଭୟ ରାତିରେ ଖାଇପିଇ ଶୋଇଥିଲେ । ତେବେ ଦାସମାତ ପୂର୍ବରୁ ବିବାହିତ ଥିବାରୁ ଦାସମାତଙ୍କ ପ୍ରଥମ ସ୍ତ୍ରୀ ବିଜ ଟୁଡୁ ରାତି ୧୨ ଟା ପରେ ଦ୍ବିତୀୟ ବିବାହକୁ ନେଇ ସ୍ବାମୀଙ୍କ ସହିତ ଝଗଡା କରିଥିଲା । ଏହି ଝଗଡାରେ ମୀନୁକୁ ମଧ୍ୟ ବିଜ ଠେଲାପେଲା କରିଥିଲା । ମୀନୁ ତଳେ ପଡିଯିବାରୁ ତା ଗଳା ଚିପି ଧରିଥିଲା ସ୍ତ୍ରୀ ବିଜ । ପରେ ସ୍ବାମୀକୁ ଡାକି ଦୁହେଁ ମିଶି ମୀନୁର ତଣ୍ଟି ଚିପି ହତ୍ୟା କରିଥିଲେ । ହତ୍ୟା ପରେ ଗ୍ରାମ ପୋଖରୀ ତଳେ ଫୋପାଡି ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ ଉଭୟ ।
ହେଲେ ଶରୀରର ବିଭିନ୍ନ ଅଙ୍ଗରେ ଥିବା କ୍ଷତ ଚିହ୍ନରୁ ହତ୍ୟାକାଣ୍ଡ ଜନିତ ଘଟଣା ହୋଇଥିବାର ସନ୍ଦେହ କରାଯାଇଥିଲା । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ଅନୁସାରେ ଏହା ଏକ ହତ୍ୟାକାଣ୍ଡ ଜନିତ ଘଟଣା ହୋଇଥିବା ପ୍ରମାଣିତ ହେବାପରେ ସ୍ବାମୀ-ସ୍ତ୍ରୀ ଦୁହେଁ ହତ୍ୟାକାଣ୍ଡ ଘଟାଇଥିବା ସ୍ବୀକାର କରିଥିଲେ । ମୃତ ମୀନୁ ମାର୍ଣ୍ଡିଙ୍କ ବାପା ବାଜୁ ମାର୍ଣ୍ଡି ଦେଇଥିବା ଏତଲାରେ ମୃତକ ମୀନୁଙ୍କ ବୟସ ୧୪ ବର୍ଷ ବୟସ ବୋଲି ଉଲ୍ଲେଖ କରାଯାଇଥିବାରୁ ମୃତକ ନାବାଳିକା ଥିବା ଜଣାପଡିଛି । ହତ୍ୟାକାରୀ ଦୁହିଁଙ୍କୁ ଗିରଫ କରି ଭାରତୀୟ ପିଙ୍ଗଳ କୋଡ୍ ଅନୁସାରେ ଦଫା- ୩୬୩ ଓ ୩୦୨ ରେ ରାଇରଙ୍ଗପୁର ଏସଡିଜେଏମ କୋର୍ଟକୁ ଚାଲାଣ କରାଯାଇଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ