ମୟୂରଭଞ୍ଜ: ଚାଷୀଙ୍କୁ ସବୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସେସବୁ ଯୋଜନା ମୋରଡା ବ୍ଲକର ଚିଲବସା ଗ୍ରାମରେ କେତେ କାର୍ଯ୍ୟକାରୀ ହେଉଛି, ଆସନ୍ତୁ ଦେଖିବା ଇଟିଭି ଭାରତର ଏହି ସ୍ୱତନ୍ତ୍ର ରିପୋର୍ଟରେ ।
ଏଠି ରାଜ୍ୟ ସରକାର ଚାଷୀଙ୍କ ଜମିରେ ଜଳସେଚନର ସୁବିଧା ପାଇଁ କ୍ଷୁଦ୍ର କେନାଲ ନିର୍ମାଣ କରିଥିଲେ । ଉଦ୍ଦେଶ୍ଯ ଥିଲା ଚିଲବସା ବନ୍ଧରୁ କେନାଲ ଯୋଗେ ପାଣି ଆଣି ଜମିରେ ପହଞ୍ଚାଇବା । ହେଲେ ଏବେ ଏହା ପୋତି ହୋଇଯାଇଥିବା ଦେଖିବାକୁ ମିଳିଛି । ଫଳରେ ଚାଷ ଜମିକୁ ପାଣି ଆସିପାରୁନି । ନିର୍ମାଣର କିଛି ଦିନ ପରେ କେନାଲ ସବୁ ଭାଙ୍ଗିଯାଇଥିବାବେଳେ ଦୀର୍ଘ ଦିନ ହେବ ମରାମତି ହୋଇନାହିଁ । ଯେଉଁଥିପାଇଁ ଖରାଦିନେ ଚାଷ କରିବା ମୁସକିଲ ହୋଇପଡୁଛି ।
ଏ ଅଞ୍ଚଳରେ ପାଖାପାଖି 3ରୁ 4ଟି ଗାଁ ଲୋକଙ୍କର ଶହଶହ ଏକର ଚାଷ ଜମି ରହିଛି । ତେବେ କେନାଲର ସଠିକ୍ ଉପଯୋଗ ହୋଇପାରୁନଥିବାରୁ ବର୍ଷାଦିନେ ଜମିରେ ପାଣି ମାଡିଯାଉଥିବାବେଳେ ଖରାଦିନେ ଶୁଖିଲା ପଡୁଛି । ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ବାରମ୍ବାର ଅଧିକାରୀଙ୍କ ସହ ସମ୍ପର୍କ କରିଥିଲେ ମଧ୍ୟ ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଚାଷ ଜମିରେ ପାଣି ନ ମାଡି ବି ଚାଷୀଙ୍କୁ ଦେବା ପାଇଁ ପଡୁଛି ଡବଲ ଜଳକର । ତେବେ ଚାଷୀଙ୍କ ସମସ୍ୟାକୁ ନେଇ ଆମେ ସମ୍ପୃକ୍ତ ଅଧିକାରୀଙ୍କୁ ବାରମ୍ବାର ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲୁ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ