ରାଇରଙ୍ଗପୁର: ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ବିକାଶନଗର ଗାଁରେ । ମୃତ ଯୁବକ ଜଣକ ହେଲେ ଭବାନୀ ଶଙ୍କର ଦାସ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତେବେ ପାରିବାରିକ ଅଶାନ୍ତିରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ । ମୃତ ଯୁବକଙ୍କ ନାଁ ରେ ଅନେକ ଗୁଡାଏ ଅପରାଧିକ ମାମଲା ରହିଥିବା ବେଳେ ବିଭିନ୍ନ ମାମଲାରେ ଜାମିନରେ ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ମୃତ ଯୁବକ ଜଣେ ଅବସରପ୍ରାପ୍ତ ଟେଲିକମ୍ ଏସଡିଓଙ୍କ ଏକ ମାତ୍ର ପୁଅ । ତେବେ ପୁଅର ଅସାମାଜିକ କାର୍ଯ୍ୟକଳାପକୁ ନେଇ ଜିଲ୍ଲା ବାହାରେ ଅନ୍ୟତ୍ର ରହି ଆସୁଛନ୍ତି ବାପା ଓ ମା । ସେପଟେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ