ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ବୋବେଇଯୋଡା ଗାଁରେ ପାତା ପର୍ବକୁ ନେଇ ଚଳଚଞ୍ଚଳ ଗାଁ ଦାଣ୍ଡ । ପର୍ବକୁ ନେଇ ଏଠାକାର ଆଦିମ ଜନଜାତି ସାନ୍ତାଳୀ ସମ୍ପ୍ରଦାୟର ଲୋକେ ନିଜ ନିଜର ଘରଦ୍ବାର କାନ୍ଥ ବାଡ଼ରେ ବିଭିନ୍ନ ଆକର୍ଷଣୀୟ ଚିତ୍ର ଆଙ୍କିଥିବା ବେଳେ ଗାଁ ଦାଣ୍ଡ ଗାଧୁଆ ତୁଠ ମଧ୍ୟ ପରିଷ୍କାର ପରିଚ୍ଛନ୍ନ କରିଛନ୍ତି । ଯାହାକି ଏହି ଗାଁକୁ ଦେଖିଲେ ସମସ୍ତଙ୍କର ମନ ଆକର୍ଷିତ ହେବ । ଏହି ଗାଁର ପରିଷ୍କାର ପରିଚ୍ଛନ୍ନତା ପରିମଳ ବ୍ୟବସ୍ଥା ସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନକୁ ମଧ୍ୟ ପଛରେ ପକାଇଛି ।
ବୋବେଇଯୋଡା ଗାଁରେ ପାତାପର୍ବକୁ ନେଇ ଗ୍ରାମବାସୀ ବହୁ ପୂର୍ବରୁ ସଜବାଜ ଆରମ୍ଭ କରିଥିଲେ । ଏହି ଗାଁର ବିଶେଷତ୍ଵ ହେଉଛି ସ୍ଵଚ୍ଛତା । ସଦାସର୍ବଦା ଗାଁ ପରିଷ୍କାର ରହୁଥିବା ବେଳେ ପର୍ବ ଅବସରରେ ଗାଁ ଲୋକେ ନିଜ ମାଟି ଘର କାନ୍ଥରେ ଆଙ୍କିଥିଲେ ସୁନ୍ଦର ସୁନ୍ଦର ଚିତ୍ର ଓ ନିଆରା କଳାକୃତି । ଗାଁର ଯୁବତୀ ଓ ମହିଳାମାନେ ଝରଣା ଓ ପାହାଡ଼ରୁ ମାଟି ଆଣି ପେଜ ଓ ଅଠା ମିଶେଇ ରଙ୍ଗ ପ୍ରସ୍ତୁତି କରନ୍ତି ଓ ତୁଳି ସାହାଯ୍ୟରେ ମାଟି କାନ୍ଥରେ ଆଙ୍କିଥାନ୍ତି ଆକର୍ଷଣୀୟ କଳାକୃତି । ମାଟି କାନ୍ଥରେ ଅଙ୍କା ଯାଇଥିବା ଏହି ଚିତ୍ର କହିଥାଏ ଆଦିବାସୀ ସଂସ୍କୃତି ଓ ପରମ୍ପରାର କଥା । ଏହି ପର୍ବର ମୁଖ୍ୟ ଆକର୍ଷଣ ହେଉଛି ପାରମ୍ପରିକ ଆଦିବାସୀ ନୃତ୍ୟ ।
ଯୁବତୀ ଓ ମହିଳାମାନେ ସୁସଜ୍ଜିତ ପାରମ୍ପରିକ ପୋଷାକରେ ନାଗଡ଼ା ଓ ମାଦଳର ତାଳେ ତାଳେ ନୃତ୍ୟ ପରିବେଷଣ କରିଥାନ୍ତି । ଗାଁ ଦାଣ୍ଡ ହସଖୁସିରେ ଫାଟି ପଡୁଥିବା ବେଳେ ଦୁର ଦୂରାନ୍ତରରେ ଥିବା ତାଙ୍କ ବନ୍ଧୁବାନ୍ଧବମାନେ ମଧ୍ୟ ଏହି ଦୃଶ୍ୟକୁ ଉପଭୋଗ କରିବା ପାଇଁ ଆସିଥାନ୍ତି । ସବୁଠାରୁ ବିଶେଷ ଆକର୍ଷଣର କଥା ହେଉଛି ସାନ୍ତାଳୀମାନଙ୍କ ଜୀବନଶୈଳୀ ତାଙ୍କର ଜୀବନ ଜୀବିକାକୁ ନେଇ ସେମାନେ ତାଙ୍କର କଳା ସାହିତ୍ୟ ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ କାନ୍ଥ ବାଡ଼ରେ ଆକର୍ଷଣୀୟ ଚିତ୍ର ଆଙ୍କିଛନ୍ତି । ପାତାପର୍ବକୁ ବହୁ ପୂର୍ବରୁ ପାଳନ କରି ଆସୁଥିବା ସହିତ ବର୍ଷସାରା ଗାଦାଣ୍ଡ ଗାଧୁଆପୀଠ ସବୁ ସଫାସୁତୁରା ରଖିଥାନ୍ତି ।
ଏହା ବି ପଢନ୍ତୁ- ମହାଶିବରାତ୍ରି: ୧୮୦୦ ଫୁଟ ଉଚ୍ଚ ବାବା ନସ୍କୋରିଆ ପୀଠରେ ଭକ୍ତଙ୍କ ଗହଳି
ସ୍ଵଚ୍ଛତା ପ୍ରତି ସଭିଏଁ ସଚେତନ ଥିବାରୁ ଗାଁର ସମସ୍ତେ ଡଷ୍ଟବିନ ବ୍ୟବହାର କରୁଛନ୍ତି । ଗାଁର ପ୍ରତ୍ୟେକ ଜାଗାରେ ରହିଛି ଡଷ୍ଟବିନ। ଆଉ ଏହି ଗାଁର ସମସ୍ତ ବାସିନ୍ଦା ଶୌଚାଳୟ ବ୍ୟବହାର କରନ୍ତି । ଶିବରାତ୍ରି ଦିନଠୁ ୩-୪ ଦିନ ଧରି ଗାଁରେ ପାତା ପର୍ବ ପାଳିତ ହୁଏ । ଉତ୍ସବ ମାଧ୍ୟମରେ ଲୋକଙ୍କୁ ସ୍ଵଚ୍ଛତାର ବାର୍ତ୍ତା ଦେଇଥାନ୍ତି ଏଠାକାର ଲୋକେ । ପରିଷ୍କାର ପରିଚ୍ଛନ୍ନତା ଦେଖିବାକୁ ବନ୍ଧୁ କୁଟୁମ୍ବଙ୍କ ସହିତ ପଡ଼ୋଶୀ ଜିଲ୍ଲା ଓ ଝାଡ଼ଖଣ୍ଡ ରାଜ୍ୟର ହଜାର ହଜାର ଲୋକଙ୍କ ଭିଡ ମଧ୍ୟ ଲାଗିଥାଏ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆହ୍ବାନ କ୍ରମେ ସ୍ବଚ୍ଛ ଭାରତ ଅଭିଯାନକୁ ସଫଳ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲୋକଙ୍କୁ ସଚେତନତା ସୃଷ୍ଟି କରୁଥାନ୍ତି ।
ହେଲେ ବାବେଇଯୋଡା ଗାଁରେ ପାତାପର୍ବ ବ୍ୟତୀତ ସଦା ସର୍ବଦା ନିଜ ଗାଁକୁ ପରିଷ୍କାର ପରିଚ୍ଛନ କରି ରଖିଥାନ୍ତି । ଏହି ପର୍ବରେ ସାନ୍ତାଳୀ ସମ୍ପ୍ରଦାୟର ଲୋକେ ନିଜର କଳା ସାହିତ୍ୟ ସଂସ୍କୃତିକୁ ପୁନରୁଦ୍ଧାର କରିବା ପାଇଁ ନିଜ ନିଜ ଘରର କାନ୍ଥରେ ସୁନ୍ଦର ସୁନ୍ଦର ଆକର୍ଷଣୀୟ ଛବି ଆଙ୍କିଥାନ୍ତି । ପାତାପର୍ବ ଦିନ ସେମାନେ ଏକାଠି ହୋଇ ଧୁମଧାମରେ ପର୍ବ ପାଳନ କରନ୍ତି । ଘରଦ୍ବାର ଗାଁ ଦାଣ୍ଡ ସହିତ ସାମୂହିକ ସ୍ଥାନଗୁଡିକୁ ପରିଷ୍କାର ପରିଚ୍ଛନ୍ନ କରନ୍ତି । ଗାଁ ଲୋକେ ନିଜସ୍ବ ଉଦ୍ୟମରେ ଗାଁ ଦାଣ୍ଡ ସଫା ସୁତୁରା ରଖିଥାନ୍ତି । ଯାହାକି ଏକ ଉଦାହରଣ ପାଲଟିଛି ।
ଏହି ପାତା ପର୍ବ ଭଞ୍ଜ ଇପିଲ ରାନାକାବ୍ ମାଡୱା ସଂଗଠନ ପକ୍ଷରୁ ପ୍ରତ୍ୟେକ ବର୍ଷ ଆୟୋଜିତ ହେଉଥିବା ବେଳେ ଏହିପରି ଧୁମଧାମରେ ପାଳନ କରିଥାନ୍ତି ଗାଁ ଲୋକେ । ତେବେ ସରକାରଙ୍କ ପକ୍ଷରୁ ଏହି ଗାଁକୁ ବର୍ଷକୁ ବର୍ଷ କିଛି କିଛି ଆର୍ଥିକ ଅନୁଦାନ ଯୋଗାଇ ଦିଆଗଲେ ଅତ୍ୟନ୍ତ ସୁନ୍ଦର ଭାବରେ ଗଢି ହେବ ଏହି ଗାଁକୁ । ଆଉ ପ୍ରତ୍ୟେକ ଦିନ ଏହି ଗାଁକୁ ଛୁଟି ଆସିବେ ସାଧାରଣ ଲୋକଙ୍କ ସହିତ କଳାପ୍ରେମୀ । ପରିଷ୍କାର ପରିଚ୍ଛନ୍ନତା ହିଁ ଜୀବନର ଶ୍ରେଷ୍ଠ ବୋଲି ଏହି ଗାଁର ଆଦିବାସୀମାନେ ଯୁଗ ଯୁଗ ଧରି ବୁଝି ପାରିଛନ୍ତି, ଯାହାକି ଆଜିର ଯୁବ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ।
ଇଟିଭି ଭାରତ, ରାଇରଙ୍ଗପୁର