ରାଇରଙ୍ଗପୁର : ଗୁଣିଗାରେଡି ସନ୍ଦେହରେ ହତ୍ୟା କରିଥିବା ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ମାନ୍ୟବର ରାଇରଙ୍ଗପୁର କୋର୍ଟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅନୁପ ରଞ୍ଜନ ପଟ୍ଟନାୟକ । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ବଣପୋଖରିଆ ଗ୍ରାମ ନିକଟସ୍ଥ ଏକ ନାଳରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଗତ ୨୦୧୬ ମସିହା ଜୁଲାଇ ମାସ ୦୪ ତାରିଖରେ ପୋଲିସ ଉଦ୍ଧାର କରିଥିଲା ।
ନାରାୟଣ କିସ୍କୁ ନାମକ ଜଣେ ବ୍ୟକ୍ତିଙ୍କୁ ଗୁଣିଗାରେଡି ସନ୍ଦେହରେ ହତ୍ୟା କରି ନାଳରେ ଫୋପାଡି ଦେଇଥିବା ଅଭିଯୋଗରେ ଜୁଡିଆ ଗ୍ରାମର ଦୁର୍ଗା ବେସ୍ରା ଓ ବଣପୋଖରିଆ ଗ୍ରାମର ଜିତରାୟ ସୋରେନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବିଶୋଇ ଥାନା ପୋଲିସ । ତେବେ ଏପରି ଏକ ସମ୍ବେଦନଶୀଳ ହତ୍ୟା ଘଟଣାରେ ସମସ୍ତ ତଥ୍ୟ ଓ ସମସ୍ତ ସାକ୍ଷୀ ମାନଙ୍କ ବୟାନକୁ ଭିତ୍ତି କରି ମାନ୍ୟବର କୋର୍ଟ ଦୁଇ ଜଣ ଆସାମୀଙ୍କୁ ଆଜୀବନ କାରାଦଣ୍ଡ ସହିତ ଦଶ ହଜାର ଟଙ୍କା ଜୋରିମାନା କରିଛନ୍ତି । ରାୟ ପ୍ରକାଶ ପାଇବା ପରେ ଉଭୟ ଆସାମୀଙ୍କୁ ରାଇରଙ୍ଗପୁର ଉପକାରାଗାର ପଠାଇ ଦିଆ ଯାଇଥିଲା । ତେବେ ସରକାରଙ୍କ ପକ୍ଷରୁ ଉକ୍ତ ମକଦ୍ଦମାଟିକୁ ଅତିରିକ୍ତ ପିପି ପଙ୍କଜ ଦାସ ପରିଚାଳନା କରୁଥିଲେ ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ