ରାଇରଙ୍ଗପୁର: ସ୍ବପ୍ନ କୁ ସାକାର କରିବାକୁ ଦରକାର ହୋଇଥାଏ କଠିନ ପରିଶ୍ରମ, ଦୃଢ଼ ମନବଳ ଓ ଉଚ୍ଚ ଅଭିଳାଷ। ଯାହାକି ଲକ୍ଷ୍ୟ ସ୍ଥଳକୁ ଯିବା ବାଟରେ ପଡୁଥିବା ସବୁ ବାଧାବିଘ୍ନ ଓ ପ୍ରତିବନ୍ଧକ ଆପେ ଆପେ ଏଡ଼ାଇ ହୋଇଯାଇଥାଏ । ଆଉ ଏଇ କେଇ ଶବ୍ଦର ଉକ୍ତିକୁ ବାସ୍ତବ କରିଦେଖାଇଛନ୍ତି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ବିଜାତଳା ବ୍ଲକ ଖନ୍ତ ଗ୍ରାମର କୋହ୍ଲ ସମ୍ପ୍ରଦାୟର ଯୁବକ ରାମ ସିର୍କା । ଅଭିନେତା ହେବା ସ୍ବପ୍ନ, ତାଙ୍କୁ ଟାଣି ନେଇ ଯାଇଥିଲା ମାୟାନଗରୀ ।
ଆଦିବାସୀ ଯୁବକ ରାମ ସିର୍କାଙ୍କ ମୟୂରଭଞ୍ଜ ରୁ ମାୟାନଗରୀ, ବିଜାତଳା ରୁ ବଲିଉଡ ଯାତ୍ରା ନଥିଲା ସହଜ । ରାମ ସିର୍କା ଗାଁ ପରିବେଶର ଧୂଳି ମାଟିରେ ଖେଳି ବଡ ହୋଇଥିଲେ । ଆଉ ପିଲାଟି ଦିନରୁ ତାଙ୍କର ସ୍ବପ୍ନ ଥିଲା ଅଭିନେତା ହେବାର। ସ୍ବପ୍ନକୁ ସାକାର କରିବା ପାଇଁ ୨୦୦୫ ମସିହାରେ ମୟୂରଭଂଜ ଜିଲ୍ଲା ବିଜାତଳା ବ୍ଲକ ଖନ୍ତ ପରି ଅଖ୍ୟାତ ପଲ୍ଲୀରୁ ବିଖ୍ୟାତ ନଗରୀ ମାୟାନଗରୀ ମୁମ୍ବାଇକୁ ଯାଇଥିଲେ। ହେଲେ ସେଠାରେ ତାଙ୍କୁ ଅଭିନେତା ହେବା ନେଇ ଅନେକ ସଂଘର୍ଷ କରିବାକୁ ପଡିଥିଲା । ମାୟାନଗରୀ ରେ ସେ ସମସ୍ତଙ୍କ ପାଇଁ ଥିଲେ ଅପରିଚିତ। ତେଣୁ ରାମ ସିର୍କା ମାର୍ଶାଲ ଆର୍ଟ ଜାଣିଥିବାରୁ ସେଠାରେ ସେ ପ୍ରଥମେ ଟ୍ରେନର୍ ଭାବେ କାମ ଆରମ୍ଭ କରିଥିଲେ। ସେଲିବ୍ରେଟି ମାନଙ୍କୁ ଫିଟନେସ ଟ୍ରେନିଂ ନେଇ ଚର୍ଚ୍ଚିତ ହେବା ପରେ ବଲିଉଡ ତାରକା ଓ ତାଙ୍କ ପରିବାର ଲୋକଙ୍କୁ ଫିଟନେସ ଟ୍ରେନିଂ ପାଇଁ ଅଫର୍ ଆସିଥିଲା ଆଉ ଏହି ମାର୍ଶାଲ ଆର୍ଟ ହି ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା।
ସେପଟେ ମୁମ୍ବାଇ ରେ ରହୁଥିବା ବେଳେ ସେଠାକାର ଜଣେ ଯୁବତୀ ପୂଜା ସିର୍କା ଙ୍କୁ ବିବାହ କରିଥିଲେ। ମୁମ୍ବାଇ ର ବ୍ୟସ୍ତବହୁଳ ସମାଜରେ ରହି ଆସୁଥିବା ପୂଜା ସିର୍କା ରାମ ସିର୍କା ଙ୍କ ସହିତ ଗାଁ କୁ ଆସି ଏଠାକାର ଚାଲିଚଲଣି, ସଂସ୍କୃତି ଓ ସୁସ୍ଥ ପରିବେଶ କୁ ପ୍ରଶଂସା କରିଛନ୍ତି ।
ମାୟା ନଗରୀ ମୁମ୍ବାଇ ରେ ରାମ ସିର୍କା ନିଜକୁ ଜଣେ ଆକ୍ଟର ,ଆକ୍ସନ ମାଷ୍ଟର , ସେଲିବ୍ରେଟି ଫିଟନେସ ଟ୍ରେନର ଭାବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଲେ। ଅଭିନେତା ପ୍ରଭୁଦେବା ଓ ସାଲମାନ ଖାଁନ ଙ୍କ ସହ ସାକ୍ଷାତ ଥିଲା ତାଙ୍କର ସବୁଠାରୁ ବଡ ସଫଳତା । ତାଙ୍କର ଅଭିନୟକୁ ସେମାନେ ପସନ୍ଦ କଲେ । ସେମାନେ ହିନ୍ଦୀ ସିନେମାରେ ତାଙ୍କୁ ସୁଯୋଗ ଦେବା ପରେ ତାପର ଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ସଫଳତାର ସିଡ଼ି ଗୋଟିଏ ପରେ ଗୋଟିଏ ପାହାଚ ସେ ଚଢି ଚାଲିଛନ୍ତି।
୨୦୧୬ ମସିହା ପରଠୁ ଗୋଟିଏ ପରେ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିବାର ସୁଯୋଗ ମିଳିଛି ତାଙ୍କୁ। ଏଥି ସହିତ ଅଭିନେତା ମାନେ ତାଙ୍କୁ ଫିଟନେସ ଟ୍ରେନର ଭାବେ ନିଯୁକ୍ତ କରିଥିବା ବେଳେ ନିୟମିତ ଭାବେ ସେମାନଙ୍କୁ ସେ ଫିଟନେସ ଟ୍ରେନିଂ ଦେଉଛନ୍ତି। ରାମ ସିର୍କାଙ୍କ ଦୃଢ଼ ମନୋବଳ ଓ ଉଚ୍ଚାଭିଳାସ ଆଗରେ ସମସ୍ତ ବାଧାବିଘ୍ନ ଓ ପ୍ରତିବନ୍ଧକ ମଧ୍ୟ ହାର ମାନିଥିଲା । ଆଉ ଏହାକୁ ସେ ଅଖ୍ୟାତ ପଲ୍ଲୀ ଖନ୍ତ ଗ୍ରାମର ଏକ ସାଧାରଣ ଆଦିବାସୀ ହୋ ପରିବାରରୁ ଯାଇ ଦେଖାଇ ପାରିଥିଲେ।
କେହି କେବେ ଭାବିନଥିଲେ ରାମ ସିର୍କା ଦିନେ ବଲିଉଡରେ ନିଜର ଏକ ସ୍ୱତନ୍ତ ସ୍ଥାନ ତିଆରି କରିବେ। ହିନ୍ଦୀ ଚଳଚିତ୍ର "ମର୍ଦ୍ କୋ ଦର୍ଦ୍ ନାହିଁ ହୋତା" "ଦବଙ୍ଗ ୩" ରେ ତାଙ୍କର ଅଭିନୟ କୁ ପ୍ରଶଂସା କରିଛନ୍ତି ଦର୍ଶକ। ମାଲାୟାଲାମ ଫିଲ୍ମ "ଶିବାସ ରିଡେମ୍ପସନ", "ଦ କୁଂଫୁ ମାଷ୍ଟର" ଏବଂ "ଆକ୍ସନ ହିରୋ ବୁଜୁ" ରେ ମଧ୍ୟ ତାଙ୍କ ଆକ୍ସନର ଜାଲୱା ଦେଖାଇଛନ୍ତି ।
ଏକାଧିକ ରିଆଲିଟି ସୋ ଓ ଧାରାବାହିକରେ ମଧ୍ୟ ଦର୍ଶକଙ୍କ ମନ ଜିଣିଛନ୍ତି ରାମ । ଆସନ୍ତା ମେ ୧୩ ଇଦ ଉପଲକ୍ଷେ ମୁକ୍ତିଲାଭ କରିବାକୁ ଯାଉଥିବା ସାଲମାନ ଖାଁ ଙ୍କ ହିନ୍ଦୀ ଚଳଚିତ୍ର " ରାଧେ" ରେ ଏକ ବିଶେଷ ଭୂମିକାରେ ଅଭିନୟ କରିଛନ୍ତି ରାମ ସିର୍କା ।
ପିଲାଟି ଦିନରେ ଅଭିନୟ ପ୍ରତି ଥିଲା ରାମଙ୍କ ଦୁର୍ବଳତା । ଏଣୁ ସେ ସ୍ବପ୍ନ ଦେଖିବା ବନ୍ଦ କରିନଥିଲେ । ଆଉ ଏହି ସ୍ବପ୍ନକୁ ସାକାର କରିବାକୁ ସେ ବୁହାଇଥିବା ଝାଳ ଆଜି ତାଙ୍କୁ ଓଡିଶା ସମେତ ପୂରା ଭାରତରେ ବନାଇଛି ଜଣେ ଚର୍ଚ୍ଚିତ ଚେହେରା । ତାଙ୍କ ପାଇଁ ଆଜି ଓଡିଶା ଗର୍ବିତ ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ