ରାଇରଙ୍ଗପୁର: ଆଦିବାସୀ ବହୁଳ ଜିଲ୍ଲା ମୟୂରଭଞ୍ଜରେ ଜୋର ଧରିଲା ଫୁଟବଲ ଏକାଡେମୀ ପ୍ରତିଷ୍ଠା ଦାବି । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ଭଞ୍ଜସେନା । ହକି ଖେଳ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ଫୁଟବଲ ଏକାଡେମୀ ପ୍ରତିଷ୍ଠା ନେଇ କୌଣସି ଯୋଜନା କରାଯାଇନାହିଁ । ଫୁଟବଲ ଏକାଡେମୀ ପ୍ରତିଷ୍ଠା ହେଲେ ଖେଳର ବିକାଶ ସହ ବହୁ ଖେଳାଳି ଉପକୃତ ହେବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ।
ସାମ୍ବାଦିକ ସମ୍ମିଳନୀରେ ଭଞ୍ଜସେନାର ପ୍ରତିଷ୍ଠାତା କହିଥିଲେ ଯେ, ମୟୂରଭଞ୍ଜ ଜିଲ୍ଲାରେ ଫୁଟବଲ ଖେଳକୁ ଅଧିକ ଗୁରୁତ୍ବ ଦିଆଯାଉଛି । ଜିଲ୍ଲାର ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ଫୁଟବଲ ଖେଳ ପ୍ରତି କ୍ରୀଡ଼ାପ୍ରେମୀ ଓ ଖେଳାଳିଙ୍କ ଆଗ୍ରହ ରହିଛି । ବିଭିନ୍ନ ସଭା ସମିତି ଗୁଡିକରେ ଜନପ୍ରତିନିଧି ମାନେ ଜିଲ୍ଲାରେ ଫୁଟବଲ ଏକାଡେମୀ ପ୍ରତିଷ୍ଠା ସପକ୍ଷରେ ଭାଷଣ ଦେଉଛନ୍ତି ହେଲେ ଏନେଇ କେହି ହେଲେବି ସ୍ବର ଉତ୍ତୋଳନ କରୁ ନାହାନ୍ତି ।
ସେ ଆହୁରି ମଧ୍ୟ କହିଥିଲେ ଯେ, ହକି ଖେଳ ଓ କ୍ରୀଡାବିତଙ୍କ ଉନ୍ନତି ପାଇଁ ସୁନ୍ଦରଗଡରେ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି ସରକାର । ଫୁଟବଲର ଏନ୍ତୁଡିଶାଳ ହେଉଛି ମୟୂରଭଞ୍ଜ ଜିଲ୍ଲା । ଏହା ଜାଣିବା ସତ୍ତ୍ବେ ସରକାର ମୟୂରଭଞ୍ଜ ଜିଲ୍ଲାରେ ଫୁଟବଲ ଏକାଡେମୀ ପ୍ରତିଷ୍ଠା କରୁନାହାନ୍ତି । ବାମନଖଣ୍ଡି ଉପଖଣ୍ଡରେ ଯଦି 100ଟି କ୍ଲବ ରହିଥିବ ତେବେ 90ରୁ 95ଟି କ୍ଲବରେ ଫୁଟବଲ ଖେଳକୁ ପ୍ରାଧାନ୍ୟ ଦିଆଯାଏ । ଉଭୟ ପୁରୁଷ ଓ ମହିଳା ମାନେ ଫୁଟବଲ ଖେଳନ୍ତି । ତେଣୁ ବାମନଖଣ୍ଡିରେ ଫୁଟବଲ ଏକାଡେମୀ ପ୍ରତିଷ୍ଠା ପାଇଁ ଆମେ ଦାବି କରୁଛୁ ।
ଏହା ମଧ୍ୟ ପଢନ୍ତୁ-ଓଡ଼ିଶା ଫୁଟବଲର ବିକାଶ ଦିଗ ତ୍ୱରାନ୍ୱିତ, ଆରମ୍ଭ ହେଲା ଗ୍ରାସ୍ରୁଟ୍ ସେଣ୍ଟର
ସାମ୍ବାଦିକ ସମ୍ମିଳନୀ ଜରିଆରେ ଜିଲ୍ଲାରେ ଫୁଟବଲ ଏକାଡେମୀ ପ୍ରତିଷ୍ଠା ଦିଗରେ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ ଭଞ୍ଜସେନା ସ୍ବର ଉତ୍ତୋଳନ କରିଛି । ଆଗାମୀ ଦିନରେ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ଭଞ୍ଜସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ନେଇ ଚେତାବନୀ ଦେଇଛି ଭଞ୍ଜସେନା । ଶନିବାର ରାଇରଙ୍ଗପୁର ସ୍ଥିତ ପୂର୍ତ୍ତ ବିଭାଗର ଡାକବଙ୍ଗଳାରେ ଭଞ୍ଜସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଥିଲା ।
ଓଡିଶାରେ ତୃଣମୂଳସ୍ତରରୁ ଭଲ ଖେଳାଳି ଚୟନ କରିବା ପାଇଁ ଓଡିଶା ଫୁଟବଲ ସଙ୍ଘ ପକ୍ଷରୁ ଆରମ୍ଭ ହୋଇଛି ଗ୍ରାସରୁଟ ସେଣ୍ଟର । ଓଡିଶାରେ ସଙ୍ଘ ପକ୍ଷରୁ ମୋଟ ୨୦ଟି ସେଣ୍ଟର ଖୋଲାଯାଇଛି । ଯେଉଁଠାରେ ୬ରୁ ୧୨ ବର୍ଷର ଉଭୟ ପୁରୁଷ ଓ ମହିଳା ଖେଳାଳି ନେଉଛନ୍ତି ସ୍ବତନ୍ତ୍ର ପ୍ରଶିକ୍ଷଣ । ପ୍ରତିଟି ସେଣ୍ଟରରେ ୩୦ ଜଣ ଖେଳାଳିଙ୍କୁ ମିଳୁଛି ପ୍ରଶିକ୍ଷଣ । ଉଭୟ ସର୍ବଭାରତୀୟ ଫୁଟବଲ ସଂଘ ଓ ରାଜ୍ୟ ଫୁଟବଲ ସଂଘର ମିଳିତ ଉଦ୍ୟମରେ ଏହି ପ୍ରୟାସ ଆରମ୍ଭ ହୋଇଛି ।
ଇଟିଭି ଭାରତ, ରାଇରଙ୍ଗପୁର