ବାରିପଦା: ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର । ସୂର୍ଯ୍ୟ ଦେବତାଙ୍କ ରଥାରୂଢ ପ୍ରତିମୂର୍ତ୍ତୀକୁ ଶାମ୍ବ ଦଶମୀରେ ପୂଜା କଲେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ବିଶ୍ଵାସ ରହିଛି । ଏନେଇ ବାରିପଦା ବାଘଡା ରୋଡ ପୂଜା ମଣ୍ଡପରେ ପୂଜା ପାଇଛନ୍ତି ସୂର୍ଯ୍ୟ ଦେବତା । ଚଳିତ ବର୍ଷ 51 ବର୍ଷ ପୂର୍ତ୍ତି ପାଳନ କରୁଛି ଏହି ପୂଜା ମଣ୍ଡପ। ଏହି ଅବସରରେ 7ଟି ଘୋଡା ସାରଥୀଙ୍କ ସହ ମଣ୍ଡପରେ ପୂଜା ପାଉଛନ୍ତି ସୂର୍ଯ୍ୟ ଦେବତା।
ଭଗବାନ ନାରାୟଣଙ୍କର ମୃଣ୍ମୟୀ ମୂର୍ତ୍ତି ସହ ରଥାରୂଢ ସୂର୍ଯ୍ୟ ଦେବତାଙ୍କୁ ଏହି ପୂଜା ମଣ୍ଡପରେ ପୂଜା କରାଯାଉଛି। ପବିତ୍ର ଶାମ୍ବ ଦଶମୀ ତିଥିରେ ଭଗବାନ ସୂର୍ଯ୍ୟଙ୍କ ଏହି ପୂଜା କରାଯାଉଥିବା ବେଳେ ଶତାଧିକ ମହିଳା ସେମାନଙ୍କର ମାନସିକ ପୂଜା କରିଛନ୍ତି । ପୁରାଣ ବର୍ଣ୍ଣନା ଅନୁସାରେ ଶ୍ରୀକୃଷ୍ଣ ନିଜ ପୁତ୍ର ଶାମ୍ବଙ୍କୁ କୁଷ୍ଠ ରୋଗରୁ ମୁକ୍ତି ପାଇଁ ସୂର୍ଯ୍ୟଙ୍କୁ ଆରାଧନା କରିବାକୁ ପରାମର୍ଶ ଦେଇଥିଲେ । ଶାମ୍ବ ସୂର୍ଯ୍ୟ ଦେବତାଙ୍କ ଆରାଧନା କରି ରୋଗମୁକ୍ତ ହୋଇଥିବାର ପୁରାଣରେ ବର୍ଣ୍ଣନା କରାଯାଇଛି ।
ପରମ୍ପରା ଅନୁସାରେ ଶାମ୍ବ ଦଶମୀ ଅବସରରେ ଭକ୍ତ ନିଜ ପୁତ୍ର ତଥା ନିଜ ପରିବାରର ଉତ୍ତୋରତ୍ତର ଉନ୍ନତି ପାଇଁ ସୂର୍ଯ୍ୟ ଦେବତାଙ୍କ ପାଖରେ ମାନସିକ ପୂଜା କରନ୍ତି । ଏଥିସହ କ୍ଷୀରି ଓ ପୁରି ଭଗବାନଙ୍କ ନାମରେ ଅର୍ପଣ କରିବାର ମଧ୍ୟ ବିଧି ରହିଛି । ଏହି ଅବସରରେ ପୂଜା ମଣ୍ଡପରେ ଶତାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା ।
ଶତାଧିକ ମହିଳା ଓ ମାନସିକଧାରୀ ବୁଢାବଳଙ୍ଗ ନଦୀର ତ୍ରିବେଣୀ ସଂଗମରୁ ଘଟ ଆଣି ପୂଜା କରିଥିଲେ । ପରେ ଘଣ୍ଟ, ଘଣ୍ଟା, ଶଙ୍ଖ ଓ ହୁଳହୁଳି ସହ ହୋମଯଜ୍ଞ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିବା ବେଳେ ପୂଜା କମିଟି ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଥିଲା। ରଥାରୂଢ ସୂର୍ଯ୍ୟ ଦେବତାଙ୍କ ପୂଜା ବାରିପଦାର ଏକମାତ୍ର ପୂଜା ହୋଇଥିବା ବେଳେ ଏହା ଓଡିଶାର ଏକ ଅନନ୍ୟ ପରମ୍ପରା ସୃଷ୍ଟି କରିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ