ରାଇରଙ୍ଗପୁର: ଆୟ ଠାରୁ ଅଧିକ ସମ୍ପତ୍ତି ରଖି ଜେଲ ଗଲେ ବାରିପଦା ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ରାମଚନ୍ଦ୍ର ସେନ । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶନିବାର ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ କରିଥିଲା । ଏକକାଳୀନ ୫ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଏଥିରେ ଅତିରିକ୍ତ ଏସପି, ଡିଏସପି ଏବଂ ଇନସ୍ପେକ୍ଟର ସାମିଲ ହୋଇଥିଲେ । ଚଢାଉ ପରେ କିରାଣୀଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି ।
ରାମଚନ୍ଦ୍ରଙ୍କ ଶତକଡା ୨୦୧ ପ୍ରତିଶତ ସମ୍ପତ୍ତି ଠାବ କରା ଯାଇଥିବା ଭିଜିଲାନ୍ସ ବିଭାଗ ଏକ ରିପୋର୍ଟ ପ୍ରଦାନ କରିଛି । ତେବେ ବରିଷ୍ଠ କିରାଣୀ ରାମଚନ୍ଦ୍ରଙ୍କ ୩ କୋଟି ୬୨ଲକ୍ଷ ୮୪ହଜାର ୮୯୭ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିବା ମୟୂରଭଞ୍ଜ ଭିଜିଲାନ୍ସ ବିଭାଗର ଏସପି ନରହରି ନାୟକ ସୂଚନା ଦେଇଛନ୍ତି । ଏଥିରେ ଗୋଟିଏ ୩ ମହଲା ଓ ଗୋଟେ ଚାରି ମହଲା କୋଠା, ୧୬ଲକ୍ଷ ୧୬ ହଜାର ଟଙ୍କାର ଜମି ବିକ୍ରି ଦଲିଲ ଯାହାର ପ୍ରକୃତ ମୂଲ୍ୟ ଅଧିକ ହେବ । ତା ସହିତ ୪୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟାଙ୍କ ଓ ବୀମା ଜମା, ୧୫ଟି ପ୍ଲଟ, ୩୦ ଲକ୍ଷ ୫୫ ହଜାର ଟଙ୍କା ମୂଲ୍ୟର ସୁନା ଗହଣା, ୨୦ଲକ୍ଷ ୫୦ହଜାର ଟଙ୍କାର ୩ଟି ଚାରି ଚକିଆ, ୪ଟି ଦୁଇ ଚକିଆ ଗାଡି ରହିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ-ଭିଜିଲାନ୍ସ ପଞ୍ଝାରେ ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କିରାଣୀ
ବରିଷ୍ଠ କିରାଣୀଙ୍କ ଘର ସମେତ ୫ ଟି ସ୍ଥାନରେ ବାଲେଶ୍ଵର, କେନ୍ଦୁଝର ଓ ମୟୂରଭଞ୍ଜ ଭିଜିଲାନ୍ସ ବିଭାଗର ଟିମ୍ ମିଳିତ ଭାବେ ଚଢାଉ କରିଥିଲେ । ରାମଚନ୍ଦ୍ର ସେନଙ୍କ କୁଳିଅଣା ସ୍ଥିତ ପଢ଼ିଆରୀପୁର ଠାରେ ଥିବା ଚାରି ମହଲା ବାସଭବନ, ଗାଙ୍ଗରାଜ ଠାରେ ଥିବା ତିନି ମହଲା ମାର୍କେଟ କମ୍ପ୍ଲେକ୍ସ, ବାରିପଦା ସ୍ଥିତ ଉପଜିଲ୍ଲାପାଳ କାର୍ଯ୍ୟାଳୟ, ଶ୍ୟାମାଖୁଣ୍ଟା ତହସିଲ ଅଫିସରେ ଥିବା ପୁଅର କାର୍ଯ୍ୟାଳୟ ଏବଂ ବାରିପଦା ସ୍ଥିତ ତୁଳସୀଚୌରା ଅଞ୍ଚଳରେ ଥିବା ସମ୍ପର୍କୀୟଙ୍କ ଘରେ ଏକକାଳୀନ ରେଡ କରାଯାଇଥିଲା । ତେବେ ରାମଚନ୍ଦ୍ର ବରିଷ୍ଠ କିରାଣୀ ଭାବେ ବାରିପଦା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ ଅନେକ ଜମି କିଣାବିକା କାରବାରରେ ତାଙ୍କ ସମ୍ପୃକ୍ତି ରହିଥିବା ନେଇ ପୂର୍ବରୁ ଅଭିଯୋଗ ହୋଇ ଅସୁଥିଲା । ଅଭିଯୋଗ କ୍ରମେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅଚାନକ ଗତ ଶନିବାର ଚଢାଉ କରାଯାଇଥିଲା।
ତେବେ ଚଢ଼ାଉ ପ୍ରକ୍ରିୟା ସମ୍ପୂର୍ଣ୍ଣ ଶେଷ ହେବା ପରେ ଭିଜିଲାନ୍ସ ବିଭାଗ ଦ୍ଵାରା ଏକ ମାମଲା ରୁଜୁ କରାଯାଇ ରବିବାର ବାରିପଦା ରାମଚନ୍ଦ୍ର ସେନଙ୍କୁ ମୟୂରଭଞ୍ଜ ଜିଲ୍ଲାର ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ତେବେ ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ଜଜ୍ ଡ. ପ୍ରସନ୍ନ କୁମାର ପଣ୍ଡା ତାଙ୍କ ଜାମିନ ନାମଞ୍ଜୁର କରିଥିଲେ । ଜାମିନ ନାମଞ୍ଜୁର ହେବାରୁ ବରିଷ୍ଠ କିରାଣୀଙ୍କୁ ବାରିପଦା ମଣ୍ଡଳ କାରାଗାରକୁ ପଠାଇ ଦିଆ ଯାଇଥିଲା । ଉକ୍ତ ଚଢ଼ାଉରେ ରାମଚନ୍ଦ୍ରଙ୍କ ଶତକଡା ୨୦୧ ପ୍ରତିଶତ ସମ୍ପତ୍ତି ଠାବ କରା ଯାଇଥିବା ଭିଜିଲାନ୍ସ ବିଭାଗ ଏକ ରିପୋର୍ଟ ପ୍ରଦାନ କରିଛି।
ଇଟିଭି ଭାରତ, ରାଇରଙ୍ଗପୁର