ବାରିପଦା: ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ମୋରମ ମାଫିଆଙ୍କ ଆକ୍ରମଣ । ବେଆଇନ ମୋରମ ଉତ୍ତୋଳନକୁ ବିରୋଧ କରିବାରୁ ଏହି ଆକ୍ରମଣ ହୋଇଛି । ଏନେଇ ତହସିଲଦାର ସମରଜିତ କର ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ବୁଧବାର ସକାଳେ କପ୍ତିପଦା ତହସିଲ ଅନ୍ତର୍ଗତ ବାଘାବାଡ଼ି ଅଞ୍ଚଳରେ ବେଆଇନ ବାଲି ଉତ୍ତୋଳନ ହେଉଥିବା ଖବର ପାଇ କପ୍ତିପଦା ତହସିଲଦାର ସମରଜିତ କର ଓ ଅତିରିକ୍ତ ତହସିଲଦାର ପ୍ରିୟରଞ୍ଜନ ଜେନା ଘଟଣାସ୍ଥଳକୁ ଯାଇଥିଲେ । ମାତ୍ର ବାଲି ଖାଦାନରେ କିଛି ନ ପାଇ ସେମାନେ ପୁଣି ଫେରୁଥିବା ସମୟରେ ଧୂମକେତ ବାସନ୍ତୀ ପଡିଆ ନିକଟରେ ଏକ ଜେସିବି ଓ ଟ୍ରାକ୍ଟର ମାଟି ଉତ୍ତୋଳନ କରୁଥିବା ଦେଖି ଅଟକି ଯାଇଥିଲେ । ଉଭୟ ତହସିଲଦାର ଓ ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ମାଟି ଖୋଳାଯିବା ସମ୍ପର୍କରେ ପଚରାଉଚରା କରିବା ସହ ମାଟି ଖୋଳୁଥିବା ବ୍ୟକ୍ତିଙ୍କ ମୋବାଇଲ ସିଜ କରିଥିଲେ ।
ଏହି ସମୟରେ ସେଠାରେ ଥିବା କିଛି ବ୍ୟକ୍ତି ସେମାନଙ୍କୁ ଆକ୍ରମଣ କରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ ତହସିଲଦାର ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଏନେଇ ତହସିଲଦାର କପ୍ତିପଦା ଥାନାକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ କପ୍ତିପଦା ପୋଲିସ ପହଞ୍ଚିବା ପରେ ଜେସିବି ସହ ମାଫିଆମାନେ ସେଠାରୁ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରୁ ଗୋଟିଏ ଟ୍ରାକ୍ଟର ଜବତ କରାଯିବା ସହ ଶ୍ୟାମସୁନ୍ଦର ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ତହସିଲଦାର ଆଇଆଇସିଙ୍କୁ ମାଟି ଖୋଳିବା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ